ଆମ ଓଡ଼ିଶାରେ ବିଭିନ୍ନ ଜାଗାରେ ବିଭିନ୍ନ ଖାଦ୍ୟର ସ୍ୱତନ୍ତ୍ର ସ୍ୱାଦ ସାଙ୍ଗକୁ ପରିଚୟ ମଧ୍ୟ ରହିଛି । ସେହିଭଳି ବାରିପଦାର ମୁଢି ମାଂସର ଚାହିଦା ଆମ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଖ୍ୟାତି ଅର୍ଜନ କରିଛି । ସବୁବେଳେ ବାରିପଦା ଯାଇ ମୁଢି ମାଂସ ଖାଇହେବନି, ତେବେ ଚାଲନ୍ତୁ ଘରେ ପ୍ରସ୍ତୁତ କରିବା ବାରିପଦା ମୁଢି ମାଂସ ।
ବାରିପଦା ମୁଢି ମାଂସ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ :- ୨୫୦ଗ୍ରାମ୍ କୁକୁଡ଼ା ମାଂସ, ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଦୁଇ ଚାମଚ, ଦୁଇଟି ମଧ୍ୟମ ସାଇଜ୍ର ଆଳୁ, ୨ଇଂଚର କିଛି କଟା ଅଦା ଖଣ୍ଡ, ବଡ଼ ସାଇଜ୍ର ଦୁଇଟି ରସୁଣ, ଗୋଟା ଜିରା ଗୋଟେ ଚାମଚ, ସୋରିଷ ତେଲ ୫୦ଗ୍ରାମ, ମିଡିୟମ୍ ସାଇଜ୍ର ପିଆଜ, ୪ରୁ୫ ଟି ଶୁଖିଲା ଲଙ୍କା, ଅଳ୍ପ କିଛି ତେଜପତ୍ର, ଛୋଟ ଡବାରେ ୨ରୁ୩ ଡବା ମୁଢି ।

ମୁଢି ମାଂସ ପ୍ରସ୍ତୁତି ପ୍ରଣାଳୀ :-
ମୁଢି ମାଂସ ଆଇଟମ୍ ରେ ପ୍ରଥମେ ପ୍ରସ୍ତୁତ କରିବା ମାଂସ ତରକାରୀ, ତେବେ ଗ୍ୟାସ୍କୁ ଲଗେଇ କରି ଗୋଟେ ଧୁଆ ଏବଂ ସଫା କଢେଇ ନେଇ ଗରମ କରିବା ଏବଂ କଢେଇ ଗରମ୍ ହୋଇଗଲା ପରେ ସୋରିଷ ତେଲ ପକେଇବା , ତାପରେ କଟା ହୋଇଥିବା ପିଆଜ କୁ ଗରମ୍ ତେଲରେ ପକେଇବା ପରେ ପିଆଜଟି ଟିକେ ଗୋଲାପି ରଙ୍ଗ ହୋଇଗଲେ ସେଥିରେ ଆଗରୁ ରଖିଥିବା ତେଜ ପତ୍ରକୁ ପକେଇ ଟିକେ ଭଲଭାବେ ଭାଜିବା ପରେ ହଳଦୀ ଗୁଣ୍ଡ ପକେଇ ହାଲକା ମିଶେଇ ଭାଜିବା ,ପୂର୍ବରୁ ପ୍ରସ୍ତୁତ କରିଥିବା ଅଦା,ରସୁଣ,ଶୁଖିଲା ଲଙ୍କା,ପିଆଜ ମିଶେଇ ପେଷ୍ଟକୁ କଢେଇରେ ପକେଇବା ।

ଏଥର ଭଲଭାବେ କିଛି ସମୟ ପାଇଁ କଢେଇରେ ଥିବା ମସଲା କୁ କସିବା ,ତାପରେ ରଖିଥିବା ମାଂସ କୁ କସେଇ ହୋଇଥିବା ମସଲାରେ ପକେଇ ଭଲଭାବେ କସେଇବା ପରେ କିଛି ପାଣି ଦେଇ ୨୦ମିନିଟ୍ ପାଇଁ ଗୋଟେ ଢାଙ୍କୁଣୀରେ ଘୋଡ଼େଇ ମସଲା ଏବଂ ମାଂସକୁ ସିଝିବା ପାଇଁ ଛାଡ଼ିଦେବା । ତାପରେ ମାଂସ ତରକାରୀ ହୋଇଗଲା ପରେ ମୁଢି ରଖିଥିବା ଥାଳି କୁ ଆଣି ସେଥିରେ ଗରମ୍ ମାଂସ ତରକାରୀକୁ ଢାଳିଦେବା , ଏହାକୁ ଆଉ ଟିକେ ଆଖିକୁ ସୁନ୍ଦର ଦେଖାଯିବା ପାଇଁ ଆମେ ସଜେଇବା ଗୋଲ୍ ଗୋଲ୍ କଟା କାକୁଡ଼ି,ଗାଜର୍,ପିଆଜ,ଟମାଟ ଏବଂ ଟିକ୍ ଟିକ୍ କଟା ହୋଇଥିବା ଧନିଆ ପତ୍ର କୁ କଂଚାଲଙ୍କା କୁ ଆପଣଙ୍କ ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଥିବା ମୁଢି ମାଂସ ପ୍ଲେଟ୍ କୁ ସଜାନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ବାରିପଦା ମୁଢି ମାଂସ ଆଇଟମ୍ ।