You are currently viewing ଛାତ୍ରୀଙ୍କୁ ଅସଦାଚରଣ ;ହଷ୍ଟେଲ ଛାଡ଼ିଲେ ୨ ଛାତ୍ରୀ

ଛାତ୍ରୀଙ୍କୁ ଅସଦାଚରଣ ;ହଷ୍ଟେଲ ଛାଡ଼ିଲେ ୨ ଛାତ୍ରୀ

ହରିଚନ୍ଦନପୁର- ପୁଣି ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆଣିଲେ ପୀଡିତଙ୍କ ମାଆ । ଖବର ଅନୁଯାୟୀ ଗତ ୮ ତାରିଖ ଶନିବାର ଉକ୍ତ ବିଦ୍ୟାଳୟର ଛାତ୍ରାବାସରେ ଓ୍ବାର୍ଡେନଙ୍କ ଅନୁପସ୍ଥିତିରେ ଛାତ୍ରୀ ଶୋଇଥିବା ବେଳେ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତଙ୍କ ଦେହ ଅସୁସ୍ଥ କାରଣରୁ ବିଦ୍ୟାଳୟରୁ ଶିକ୍ଷାଦାନ ଛାଡି ହଷ୍ଟେଲରେ ବିଶ୍ରାମ ନେଉଥିବା ସମୟରେ ଘଟିଛି ଏହି କଳଙ୍କିତ ଚିତ୍ର ।
ଅଭିଯୋଗ ଅନୁଯାୟୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଶ୍ଵର ଚନ୍ଦ୍ର ସାହୁ ଓ୍ବାର୍ଡେନଙ୍କ ଅନୁପସ୍ଥିତିରେ ହଷ୍ଟେଲ ମଧ୍ୟରେ ପ୍ରବେଶ କରି ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଅସଦାଚରଣ ସମୟରେ ଅଚାନକ ହଷ୍ଟେଲରେ ରହୁଥିବା ଅନ୍ୟ ଦୁଇ ଛାତ୍ରୀ ପହଞ୍ଚି ଘଟଣା ଦେଖିବା ପରେ ଛାତ୍ରୀଙ୍କ ମହଲରେ ଭୟ ସୃଷ୍ଟି ହୋଇଥିଲା । ଉକ୍ତ ଛାତ୍ରୀମାନେ ସତକୁ ସାମ୍ନାକୁ ଆଣିବାକୁ ଯାଇ ଓ୍ବାର୍ଡେନଙ୍କ ସମ୍ମୁଖରେ ମୁହଁ ଖୋଲିବାକୁ ଚେଷ୍ଟା କରିଥିଲେ ଯଦିଓ ଧମକର ଶିକାର ହୋଇ ବାଧ୍ୟ ହୋଇ ହଷ୍ଟେଲ ଛାଡ଼ିଥିବା ପ୍ରକାଶ କରିଛନ୍ତି ।
ଉକ୍ତ ଛାତ୍ରୀମାନେ ଜଣେ ଖସାପଦା ଓ ଅନ୍ୟ ଜଣେ ହଦଗଡ଼ ଅଞ୍ଚଳର ହୋଇଥିବା ସୂଚନା ରହିଛି ।
ଘଟଣାର ଅଭିଯୋଗ ପରେ ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ବିଦ୍ୟାଳୟରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାଶ ଜଣେ ମହିଳା କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।‌ ସବୁଠାରୁ ବଡକଥା ବିନା ମେଟନରେ କାହିଁକି ମହିଳା ଛାତ୍ରାବାସରେ ପ୍ରବେଶ କଲେ ପ୍ରଧାନ ଶିକ୍ଷକ । ଏଥିସହ ସେହି ଉଭୟ ଛାତ୍ରୀ ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ନପଢ଼ିବା ପାଇଁଁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି । ଉଭୟ ଛାତ୍ରୀଙ୍କ କଥାକୁ ନେଇ ବିଦ୍ୟାଳୟ ଓ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଘଟଣା ସମ୍ପର୍କରେ ଶୁଣି ଅଭିଭାବକଙ୍କ ମହଲରେ ଏକ ଦୁଃଚିନ୍ତାର କାରଣ ପାଲଟିଥିବା ବେଳେ ଜନସାଧାରଣରେ ବିଭିନ୍ନ ପ୍ରକାର ପ୍ରଶ୍ନ ସୃଷ୍ଟି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।