You are currently viewing ମୃତ ବ୍ୟକ୍ତିଙ୍କ ହେବନି କରୋନା ପରୀକ୍ଷା!

ମୃତ ବ୍ୟକ୍ତିଙ୍କ ହେବନି କରୋନା ପରୀକ୍ଷା!

ଭୁବନେଶ୍ବର, ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ଲାଗି ସବୁ ହସ୍ପଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ଶବ ହସ୍ତାନ୍ତର ବିଳମ୍ବ ହେବା ସହିତ ସଂପୃକ୍ତ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ। କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲଗୁଡ଼ିକୁ ଏଭଳି ନିର୍ଦେଶନାମା ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତ କିମ୍ବା ହସ୍ପିଟାଲରେ ପହଞ୍ଚିବା ବେଳକୁ ମୃତ ଘୋଷଣା ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ ହେଲେ ସଂପୃକ୍ତ ବ୍ୟକ୍ତି ଜଣକ କରୋନା କିମ୍ବା ଅଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି କିଭଳି ସ୍ପଷ୍ଟ ହେବ ତାହା ଏବେ ପ୍ରଶ୍ନ ଉଠିଛି। ଅପରପକ୍ଷରେ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶାଳୟରେ ୪୮ଘଣ୍ଟା ଭିତରେ ଦାଖଲ କରିବା ଲାଗି କୁହାଯାଉଛି। ରୋଗୀଙ୍କ ବେଡ୍‌ହେଡ୍‌ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ ଓ କୋଭିଡ୍‌ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ। ରୋଗୀଙ୍କର ପୂର୍ବରୁ କେଉଁ ପ୍ରକାର ରୋଗ ରହିଥିଲା ଓ ଆଡମିସନ୍ ସମୟରେ ତାଙ୍କର ଏହାର କି କି ଲକ୍ଷଣ ରହିଥିଲା ତାହାକୁ ରାଜ୍ୟସ୍ତରୀୟ ଡେଥ୍ ଅଡିଟ କମିଟି ନିକଟରେ ଦାଖଲ କରିବା ଲାଗି କୁହାଯାଇଛି। ଯାହାଫଳରେ ସଂପୃକ୍ତ ବ୍ୟକ୍ତି ଜଣକ କରୋନା କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।