ଭୁବନେଶ୍ୱର, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡ୍କୋ ଜରିଆରେ ରାଜ୍ୟ ସରକାର ଶାଗମାଛ ଦରରେ ବିକୁଛନ୍ତି ବୋଲି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରୀ କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଏହି ଦୁର୍ନୀତିକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆଣିବାକୁ ଶ୍ରୀ ରାଉତରାୟ ଦୃଢ଼ ଦାବି କରିଛନ୍ତି ଏବଂ ସଂପୂର୍ଣ୍ଣ ଜାଗା ଇଡ୍କୋକୁ ନଦେଇ ଗ୍ରାମରେ ଖେଳ ପଡିଆ, ମେଳଣ ପଡିଆ, ସ୍କୁଲ ପଡିଆ ଓ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସେ କହିଛନ୍ତି ।

ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମର ସମସ୍ତ ସ୍ଥିତିବାନ ସଂପତିକୁ ୨୦୧୨ ରେ ହଠାତ ଜଣେ ସେଟଲମେଂଟ ଅଫିସର ଆସି ଶ୍ରୀ ଜଗନ୍ନାଥ ନାମରେ ନାମିତ କରିଛନ୍ତି । ଏ ଅଂଚଳର ଜନସାଧାରଣଙ୍କର ସ୍ଥିତିବାନ ସମ୍ପତି ଜଗନ୍ନାଥଙ୍କ ନାମରେ ନାମିତ ହେବା ଦ୍ୱାରା ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଯଥା ସ୍କୁଲଘର,ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି ପରି କୌଣସି କାର୍ଯ୍ୟ ହୋଇପାରୁ ନାହିଁ ଏବଂ ଏହି ଜମି ବିକ୍ରି ହୋଇପାରୁ ନାହିଁ । ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ବାପ ମା’ଙ୍କ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ନିର୍ବାହ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି ।
ଯଦି ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆମର ସ୍ଥିତିବାନ ଜମିକୁ ଫେରାଇ ନଦିଆଯାଏ, ଉପରୋକ୍ତ ଅଂଚଳର ସମସ୍ତ ଅଧିବାସୀ ସଚିବାଳୟକୁ ମାର୍ଚ୍ଚ ୧ ତାରିଖରେ ଘେରାଉ କରିବୁ । ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।