You are currently viewing ମାଫିଆ କାଟିନେଲେ ୧୦୬ ଗଛ

ମାଫିଆ କାଟିନେଲେ ୧୦୬ ଗଛ

  • Post category:ଓଡିଶା
  • Reading time:1 mins read

ନବରଙ୍ଗପୁର(୬.୦୧.୨୩) : ସ୍କୁଲ ନବୀକରଣ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ନୂଆ ନୂଆ ବିଲ୍ଡିଂ ତିଆରି କରାଯାଉଛି । ଲଗାଯାଉଛି ମୂଲ୍ୟବାନ ଗଛ । ଏଥିପାଇଁ ଅପର୍ଯ୍ୟାପ୍ତ ଟଙ୍କ ଖର୍ଚ୍ଚ ହେଉଛି । ମାତ୍ର ସ୍କୁଲ ଛୁଟି ସମୟରେ ଏହାର ସୁଯୋଗ ନେଇ ପ୍ରାୟ ୧୦୬ ଟି ମୂଲ୍ୟବାନ ଗଛ କଟା ହୋଇ ଯାଇଥିବା ବେଳେ କେହି ଏହାର ଟେର ପାଇ ନାହାନ୍ତି । ଫଳରେ ସବୁଜିମା ଭିତରେ ହସୁଥିବା ସ୍କୁଲଟି ଆଜି ଶ୍ରୀହୀନ ଦିଶୁଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟ ବ୍ଲକ ଅଧିନସ୍ଥ କୁକୁଡାବାଇ ଇନ୍ଦିରା ପ୍ରୀୟଦର୍ଶନୀ ଉଚ୍ଚ ବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ବେଳେ କେହି କିପରି କିଛି ଜାଣି ପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି । କୁକୁଡାବାଇ ଇନ୍ଦିରା ପ୍ରୀୟଦର୍ଶନୀ ଉଚ୍ଚ ବିଦ୍ୟାଳୟକୁ ୫ଟିରେ ଅନ୍ତର୍ଭୁକ୍ତ କରାଯାଇ ତାହାର ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତରୀ କରଣ କାର୍ଯ୍ୟ ଚାଲିଛି ।   ବିଦ୍ୟାଳୟ ପରିସରରେ ୧୪୦ ଟି ବିରାଟକାୟ ଆକାଶିଆ ଓ ଚାଖୁଣ୍ଡା ପୁରାତନ ଗଛ ରହିଥିଲା। ଯାହାକି ବିଦ୍ୟାଳୟର ପରିବେଶକୁ ସବୁଜିମା କରୁଥିଲା। କିନ୍ତୁ ବଡ଼ଦିନ ଛୁଟିରେ ସ୍କୁଲ ଫାଙ୍କା ପଡ଼ୁଥିବା ବେଳେ ଏହାର ସୁଯୋଗ ନେଇ କାଠ ମାଫିଆମାନେ ୧୦୬ଟି ଗଛକୁ ମୂଳରୁ କାଟି ନେଇଛନ୍ତି।  ଡିସେମ୍ବର ୨୨ରୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ X- Mas ଛୁଟି ହୋଇଥିଲା  । ବିଦ୍ୟାଳୟ ବନ୍ଦ ଥିବାର ସୁଯୋଗ ନେଇ ମାଫିଆମାନେ କରତ ଲଗାଇ ଗଛ କାଟି ନେଇ ଯାଇଥିବା ଭଳି ଜଣାପଡୁଛି । ତେବେ, ଏତେ ସଂଖ୍ୟକ ଗଛ କଟାଯାଇ ଥିବା ବେଳେ ଗ୍ରାମବାସୀ, ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କେହି କିପରି ଏ ସମ୍ପର୍କରେ ସୂଚନା ପାଇପାରିଲେନି ତାହା ସନ୍ଦେହ ସୃଷ୍ଟି କରିଛି। ଏହାବାଦ  ଛୁଟି ସମୟରେ  ସ୍କୁଲର ରୂପାନ୍ତରୀ କରଣ କାର୍ଯ୍ୟ ଚାଲିଥିବା ବେଳେ ସେଥିରେ ନିୟୋଜିତ ଶ୍ରମିକ ଓ ମିସ୍ତ୍ରୀମାନେ କିପରି ଜାଣିପାରିଲେ ନାହିଁ ତାହା ବି ବିଶ୍ୱାସ କରି ହେଉନି  । ତେଣୁ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ  କରାଗଲେ ଗଛ କଟାଯିବା ପଛର ରହସ୍ୟର ଜଣାପଡନ୍ତା ବୋଲି ଗ୍ରାମ ସରପଞ୍ଚ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଗଛ କଟା ଯୋଗୁଁ ପାଚେରିର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଅନେକ ସ୍ଥାନରେ କାନ୍ଥ ଆଂଶିକ ଭାଙ୍ଗି ଯାଇଛି  । ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିରଂଚି ନାରାୟଣ ପାଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଛୁଟି ପରେ ବିଦ୍ୟାଳୟ ୨ ତାରିଖରେ ଖୋଲିଲା।   ଆମେ ବିଦ୍ୟାଳୟକୁ ଫେରି ବହୁ ସଂଖ୍ୟାରେ ଗଛ କଟା ହୋଇଥିବା ଦେଖିବାକୁ ପାଇଲୁ। ଏପରି କାଣ୍ଡ କିଏ କରିଛି ଆମେ ଜାଣି ନ ଥିବା ବେଳେ ଏନେଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ  ଅବଗତ କରିଛୁ।ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମତି ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏନେଇ ଗତକାଲି ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।