ଭୁବନେଶ୍ୱର (୧୮.୧୦.୨୨) : ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ କ୍ରାଇମବ୍ରାଞ୍ଚ ଏସଟିଏଫ ୧ କେଜି ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ପୋଲିସ ଲେନ ପିଡବ୍ଲୁଡି କଲୋନୀର ଏସକେ ରାଜୁ ଓ ଖପରପଡାର ଆମଜଦ ଖାନ ।

ଗୁଇନ୍ଦା ସୂଚନା ଆଧାରରେ ସୋମବାର ବାଲେଶ୍ୱର ପୁଲିସ୍ ସହିତ ମିଳିତ ଭାବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହିତ ବ୍ରାଉନ୍ ସୁଗର ଜବତ କରିଥିଲା। ଜବତ ବ୍ରାଉନ୍ ସୁଗରର ଦାମ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ବାଇକ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍।

ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ତା’ର ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ୨୦୨୦ରୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୬୦ କେଜିରୁ ଅଧିକ ବ୍ରାଉନ୍ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ୍, ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି। ଏହି ସବୁ ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୧୬୨ ଜଣଙ୍କୁ ଗିରଫ କରିଛି।