President

ଆଜି ୮୯ତମ ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ   

ଏଏନଏସ: ୮୯ତମ ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାର୍ତ୍ତାରେ କହଛନ୍ତି, ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଓଡ଼ିଶା ତା’ର ବିପୁଳ ପ୍ରାକୃତିକ ସମ୍ପଦ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ସୁପରିଚିତ। ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ସାମର୍ଥ୍ୟ ବହନ କରୁଥିବା ଓଡ଼ିଶାର ଜନସାଧାରଣଙ୍କର ରାଜ୍ୟ ତଥା ଦେଶର ବିକାଶରେ ବଡ଼ ଅବଦାନ ରହିଛି। ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା। ଅଧିକରୁ ଅଧିକ ସଫଳତା ଓ ସମୃଦ୍ଧି ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏହା ମୋର ଆନ୍ତରିକ କାମନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମସ୍ତଙ୍କୁ ମୋର ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିନ ଆମକୁ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ କର୍ମତତ୍ପର ଜନସାଧାରଣଙ୍କ ବିଷୟରେ ସ୍ମରଣ କରାଇଥାଏ। ରାଷ୍ଟ୍ରର ପ୍ରଗତିରେ ରାଜ୍ୟର ଉଲ୍ଲେଖନୀୟ ଯୋଗଦାନ ରହିଛି। ମୁଁ ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରୁଛି।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସବୁ କ୍ଷେତ୍ରରେ ଓଡ଼ିଶା ଏକ ଗରିମାମୟ ଇତିହାସ ରଚୁଛି। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ ‘ବିକଶିତ ଓଡ଼ିଶା’ ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ। ଏହି ‘ଓଡ଼ିଶା ଦିବସ’ରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆଗକୁ ବଢ଼ିବା।

 

ଅନ୍ୟମାନଙ୍କୁ ଜଣାନ୍ତୁ।