You are currently viewing ତୁଟୁନି ‘କଳି’ ମିଳୁନି ‘ବେତନ’

ତୁଟୁନି ‘କଳି’ ମିଳୁନି ‘ବେତନ’

  • Post category:ଓଡିଶା
  • Reading time:1 mins read

ନୟାଗଡ (ଏଏନଏସ)୧୫/୧୦, ନୟାଗଡ ଜିଲ୍ଲା ରଣପୁର ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଚୌକିକୁ ନେଇ ଦ୍ୱନ୍ଦ ଚାଲିଥିବା ବେଳେ ଏହି କଲେଜରେ କାର୍ଯରତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କୁ ଦୀର୍ଘ ୩ ମାସ ଧରି ବେତନ ମିଳି ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ୧୯୭୮ ମସିହାରେ ତତ୍କାଳୀନ ଶିକ୍ଷାବିତ ଓ ଓକିଲ ସ୍ୱର୍ଗତ ନାରାୟଣ ମହାପାତ୍ର (କ) ଓ ସ୍ଥାନୀୟ ବାର ଆସୋସିଏସନ ସହ ରଣପୁର ଅଞ୍ଚଳର କିଛି ଶିକ୍ଷାବିତ ଓ ବଦାନ୍ୟ ବ୍ୟକ୍ତିଙ୍କର ପ୍ରଚେଷ୍ଟାରେ ଏହି ମହାବିଦ୍ୟାଳୟଟି ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଏହି କଲେଜରେ କଳା, ବାଣିଜ୍ୟ , ଓ ବିଜ୍ଞାନ ବିଭାଗ ସହ ଧନ୍ଦା ମୂଳକ ଶିକ୍ଷା ଦିଆଯାଉଥିବା ବେଳେ ରାଜ୍ୟରେ ଏହା ଏ ଗ୍ରେଡ କଲେଜର ମାନ୍ୟତା ପାଇଛି । ଗତ କିଛିମାସ ତଲେ ବରିଷ୍ଠତା ଭିତ୍ତିରେ ଡକ୍ଟର ନିରଞ୍ଜନ ଗୁରୁଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲେ ହେଁ ନିଜର ଶାରୀରିକ ଅସୁସ୍ଥତା ଦେଖାଇ ସେ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ ।

ତାଙ୍କ ପରେ ଅନ୍ୟତମ ଅଧ୍ୟାପିକା ତିଳୋତ୍ତମା ଦେଇଙ୍କୁ ଅଧ୍ୟକ୍ଷା ଦାୟିତ୍ୱ ହସ୍ତାନ୍ତର କରିଥିଲା ପରିଚାଳନା କମିଟି । ମାତ୍ର କିଛି ଅଧ୍ୟାପକଙ୍କ ପ୍ରରୋଚନାରେ ପଡି ଡକ୍ଟର ଗୁରୁ ପୁର୍ନବାର ଅଧ୍ୟକ୍ଷ ହେବା ପାଇଁ ମନୋ ବଳାଇଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମଧ୍ୟ ଡକ୍ଟର ଗୁରୁଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଗଲା ବୋଲି ଏକ ଚିଠି ପ୍ରେରଣ କଲେ । ଯାହା ଫଳରେ ତିଳୋତ୍ତମା ଦେବୀ ଅଧକ୍ଷା ପଦବୀରୁ ଓହରି ଯାଇଥିଲେ । ଏହି ପଦବୀ କଳହକୁ ନେଇ ନିକଟ ଅତୀତରେ ଯୁକ୍ତ ତିନି ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ପ୍ରଘଟ କରାଇ ଦିଆଯାଇଥିଲା । ଏଥିରେ କିଛି ଦାୟିତ୍ୱରେ ଥିବା ଅଧ୍ୟାପକ ଓ କିରାଣୀ ସଂପୃକ୍ତ ଥିଲେ ବୋଲି ଆଲୋଚନା ଚାଲିଥିବା ବେଳେ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ଏହାକୁ ଖାମଖିଆଲି ଭାବେ ଗ୍ରହଣ କରି କୌଣସି କର୍ମଚାରୀଙ୍କ ଉପରେ କିଛି ଦଣ୍ଡ ବିଧାନ କଲେ ନାହିଁ ପରିଣାମ ସ୍ୱରୁପ ଏକ ପୁରୁଣା କଲେଜର ସୁନାମରେ ଆଞ୍ଚ ଆସିଲା ଓ ଏହି କଲେଜରେ ହେବାକୁ ଥିବା ମୂଲ୍ୟାୟନ କେନ୍ଦ୍ରକୁ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଉଠାଇ ନେଇଥିଲେ । ମିଳିଥିବା ସୂତ୍ର ମୁତାବକ ଅଧ୍ୟାପିକା ତିଳୋତ୍ତମା ଦେଇଙ୍କ ସପକ୍ଷରେ ପରିଚାଳନା କମିଟି ଥିବା ବେଳେ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ନିରଞ୍ଜନଙ୍କ ସପକ୍ଷରେ କିଛି ପୁରୁଣା ଅଧ୍ୟାପକ ଗୋଷ୍ଠୀ ଅଛନ୍ତି ।

ଏଠାରେ ସୂଚନା ଦିଆଯାଇପାରେକି ହାତଗଣତି ଦୁଇ ତିନୋଟି ବିଭାଗର ଅଧ୍ୟାପକ ୨୦ ବର୍ଷରୁ ଉର୍ଦ୍ଧ ହେବ ଏହି କଲେଜରେ ରହି ସମସ୍ତ ପ୍ରକାର ବେନିୟମ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ଅଧ୍ୟକ୍ଷ ଦାୟିତ୍ୱ ନେଉଥିବା ପ୍ରାଧ୍ୟାପକ ମାନଙ୍କୁ କବଳିତ କରିବାକୁ ଚେଷ୍ଟା କରନ୍ତି । ସଂପୃକ୍ତ ଅଧ୍ୟାପକ ମାନଙ୍କ ମର୍ଜ୍ଜିରେ ଅଧ୍ୟକ୍ଷ କାମ ନକଲେ ଅଧ୍ୟକ୍ଷଙ୍କୁ ବଦନାମ କରିବା ପାଇଁ ଏହି ଗୋଷ୍ଠୀ ସମସ୍ତ ପ୍ରକାରର ଚକ୍ରାନ୍ତ କରନ୍ତି । ଅଧ୍ୟକ୍ଷ ଚୌକି ପାଇଁ ଲାଗିଥିବା କଳହ ଯୋଗୁ କର୍ମଚାରୀ ମାନଙ୍କୁ ଦରମା ଦିଆଯାଇପାରୁ ନଥିବା ଆଲୋଚନାହେଉଥିବା ବେଳେ ଏହାକୁ ନେଇ କଲେଜରେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ଚାପା ଗୁଞ୍ଜରଣ ଲାଗି ରହିଛି । ଯଦି ଆଗାମୀ ଦିନରେ ଏହାର ସମାଧାନ ନ ହୁଏ ତେବେ କର୍ମଚାରୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।