You are currently viewing ଲୁଚାଇ ହେବନି କୋଭିଡ୍‌ ତଥ୍ୟ, ସରକାରୀ ହସ୍ପିଟାଲରେ ଉଲ୍ଲେଖ ରହିବ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ

ଲୁଚାଇ ହେବନି କୋଭିଡ୍‌ ତଥ୍ୟ, ସରକାରୀ ହସ୍ପିଟାଲରେ ଉଲ୍ଲେଖ ରହିବ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (ଏଏନଏସ): ଏଣିକି କରୋନା ସଂକ୍ରମିତ ନିଜର ସଂକ୍ରମଣ ଲୁଚାଇବା କଷ୍ଟକର ହୋଇପଡ଼ିବ। ରାଜ୍ୟର ସବୁ ସରକାରୀ ହସ୍ପିଟାଲରେ ଫିଭର କ୍ଲିନିକ୍‌ ଖୋଲିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନିଷ୍ପତ୍ତି ଅନୁଯାୟୀ ଯେଉଁଠି ଥଣ୍ଡା, ଜ୍ୱର ରୋଗୀଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କ ସମ୍ପୂର୍ଣ୍ଣ ଡାଟାବେସ୍‌ ରଖାଯିବ। କୋଭିଡର ନୂଆ ଭାରିଏଣ୍ଟ ଜେଏନ୍‌-୧ର ଆଗମନକୁ ଦୃଷ୍ଟିରେ ରଖି ଏହାର ପ୍ରାକ୍‌-ମୁକାବିଲା ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।

ତେବେ କରୋନାର ମୁକାବିଲା ପାଇଁ ଲୋକେ ନିଜେ ସଚେତନ ହେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରତି ହସ୍ପିଟାଲର ମୁଖ୍ୟ ଦ୍ୱାରରେ ଏହି କ୍ଲିନକ କରାଯିବ। ଏଠାରେ ଥଣ୍ଡା, ଜ୍ୱର, କାଶ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତର ନିୟୋଜିତ ହେବେ। ଯେଉଁଥି ପାଇଁ ଅନ୍ୟ ରୋଗୀଙ୍କ ପରି କାଜୁଆଲଟି ଯିବାକୁ ପଡ଼ିବନି। ସେମାନଙ୍କୁ ଅନ୍ୟ ରୋଗୀଙ୍କଠାରୁ ଅଲଗା କରି ଫିଭର୍‌ କ୍ଲିନିକରେ ଚିକିତ୍ସା ସହ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଫିଭର୍‌ କ୍ଲିନିକରେ ଉଲ୍ଲେଖ ରହିବ। ଯାହାଦ୍ୱାରା ଅଧିକ ଦିନ ଜ୍ୱର ଲାଗି ରହିଥିବା ରୋଗୀଙ୍କ କୋଭିଡ ପରୀକ୍ଷା କରାଯାଇ ପାରିବ। ଯଦି ବି କୋଭିଡ ରୋଗୀ ଭିନ୍ନ ଭିନ୍ନ ହସ୍ପିଟାଲରୁ ଔଷଧ ଖାଇ ସାମୟିକ ଭାବେ ସୁସ୍ଥ ରହିବା ସହ ସଂକ୍ରମଣ ଲୁଚାଇବାକୁ ଚେଷ୍ଟା କରିବେ, ସେମାନଙ୍କୁ ଫିଭର୍‌ କ୍ଲିନକର ଡାଟାବେସ୍‌ ଧରା ପକାଇଦେବ।

ଅନ୍ୟମାନଙ୍କୁ ଜଣାନ୍ତୁ।