ସାମ୍ବାଦିକଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ

ନୂଆଦିଲ୍ଲୀ (୪.୧୦.୨୨) : ଏବେ ସାମ୍ବାଦିକମାନଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ ବା ପ୍ରମାଣ ପତ୍ର । ପ୍ରଧାନ ମନ୍ତ୍ରୀଙ୍କ ସମାବେଶ ବା କୌଣସି ରାଲିରେ ଯୋଗ ଦେବାକୁ ହେଲେ ତା ପୂର୍ବରୁ ସାମ୍ବାଦିକମାନେ ନିଜ ନିଜ କ୍ୟାରେକଟର ସାର୍ଟିଫିକେଟ ଦେବାକୁ ପଡିବ । ଏଭଳି କିଛି ଅଜବ ନିୟମ ଜାରି କରିଛନ୍ତି ହିମାଚଳ ପ୍ରଦେଶ ସରକାର। ଆସନ୍ତାକାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ସାଙ୍ଗକୁ ରାଲି ରହିଛି। ଏହି ସମୟରେ ଯେଉଁ ସାମ୍ବାଦିକମାନେ ଯୋଗ ଦେବେ ସେମାନେ କ୍ୟାରେକ୍ଟର ସାର୍ଟିଫିକେଟ ଦେବେ। ରିପୋର୍ଟର ଓ ଫଟୋ ଏବଂ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ପାଇଁ ଏହି ନିୟମ ରହିଛି। ହିମାଚଳ ପ୍ରଦେଶ ସରକାରର ପ୍ରଶାସନ ସେପ୍ଟେମ୍ବର ୨୯ରେ ଏହି ନୂଆ ନିୟମ ଜାରି କରିଥିଲା। ଅକ୍ଟୋବର ୧ ସୁଦ୍ଧା କ୍ୟାରେକ୍ଟର ସାର୍ଟିଫିକେଟ ଦେଇ ଆଇଡି କାର୍ଡ ତାଥା ସୁରକ୍ଷା ପାସ୍‌ ନେବାକୁ କହିଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦେଖି ଏପରି କରାଯାଇଛି ହିମାଚଳ ସରକାର ପକ୍ଷରୁ କୁହାଯାଇଛି। କେବଳ ଘରୋଇ ଟିଭି ଓ ଖବରକାଗଜର ସାମ୍ବାଦିକମାନେ ନୁହେଁ ବରଂ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓର ସାମ୍ବାଦିକମାନେ ମଧ୍ୟ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରଦାନ କରିବେ। ଏହି କ୍ୟାରେକ୍ଟର ସାର୍ଟିଫିକେଟ ଏସପି, ସିଆଇଡି ପ୍ରଦାନ କରିବେ। ତେବେ ଏହି ଅଜବ ନିୟମକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଅନେକ ସାମ୍ବାଦିକ ଏହାକୁ ବିରୋଧ କରିଛନ୍ତି। ଆମ୍‌ ଆଦମୀ ପାର୍ଟିର ମୁଖପାତ୍ର ପଙ୍କଜ ପଣ୍ଡିତ ମଧ୍ୟ ଏଭଳି ଅଜବ ନିୟମକୁ ନିନ୍ଦା କରିଛନ୍ତି ।  ଆସନ୍ତାକାଲି ମୋଦି ହିମାଚଳ ପ୍ରଦେଶ ଗସ୍ତରେ ଯାଇ ବିଳାସପୁରରେ ଏମ୍ସର ନୂଆ କ୍ୟାମ୍ପସର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.