You are currently viewing ବାପାଙ୍କ ଦଶାହରେ ଜୀବନଗଲା ଝିଅର

ବାପାଙ୍କ ଦଶାହରେ ଜୀବନଗଲା ଝିଅର

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡ଼ା, ବାପାଙ୍କ ମୃତ୍ୟୁ ଖବର ପାଇ ହାଇଦ୍ରାବାଦରୁ ଗାଁ କୁ ଶୁଦ୍ଧକ୍ରିୟା ପାଇଁ ଆସିଥିଲେ ରୋଜଗାରିଆ ଝିଅ । କିନ୍ତୁ ଦଶ ଦିନ ଶୁଦ୍ଧ କାମ ସାରି ପୋଖରୀରେ ଗାଧୋଉ ଥିବାବେଳେ ଗଭୀର ପାଣିରେ ବୁଡି ପ୍ରାଣ ହରାଇଲେ। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ କେଶପୁର ପଂଚାୟତର ଅରୁଆ ଗ୍ରାମରେ ଦେଖିବାକୁ ମିଳିଛି। ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଥାଉକି, ଅରୁଆ ଗ୍ରାମର ସ˚ଜୟ ନନ୍ଦି(୫୦) ଗତ ଏକବର୍ଷ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କର ୨୨ ବର୍ଷ ଓ ୨୦ ବର୍ଷର ଦୁଇଝିଅ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ପୁଅ ଅଛନ୍ତି। ବାପା ଶଯ୍ୟାଶାୟୀ ହେବାପରେ ସାନଝିଅ ଭବାନୀ ହାଇଦ୍ରାବାଦରେ ସିଲେଇ କାମ କରି ପରିବାର ଚଳାଉଥିଲେ । ହେଲେ, ସବୁ ଉଦ୍ୟମ ସତ୍ତ୍ବେ ବାପା ସ˚ଜୟ ଉପଯୁକ୍ତ ଚିକିତ୍ସା ନପାଇ ଆଖି ବୁଜିଥିଲେ।

ତାଙ୍କର ଦଶାହ ଶୁଦ୍ଧିକ୍ରିୟା ଥିଲା। ବଡ଼ଝିଅ ଶିବାନୀ, ସାନଝିଅ ଭବାନୀ ଓ ଅନ୍ୟଜଣେ ସ˚ପର୍କୀୟ ଭଉଣୀ ମିଶି ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ହଠାତ ଭବାନୀ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶିବାନୀ ମଧ୍ୟ ବୁଡି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ସମ୍ପର୍କୀୟ ଭଉଣୀ ପାଟି କରି ଡାକ ପକାଇବାରୁ ପୋଖରୀ ହୁଡ଼ାରେ ବସିଥିବା ଗାଁ ଲୋକମାନେ ପୋଖରୀ ଭିତରକୁ ଡେଇଁପଡ଼ି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ଭିତରେ ସେମାନେ ବଡ଼ଭଉଣୀ ଶିବାନୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସାନଭଉଣୀ ଭବାନୀ ଅଧିକ ଗଭୀରକୁ ଚାଲିଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ଖବର ପାଇ ପଟ୍ଟାମୁଣ୍ତାଇରୁ ଦମକଳବାହିନୀ ପହଞ୍ଚି ଗାଁ ଲୋକଙ୍କ ସହଯୋଗରେ ଭବାନୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ତାଇ ମେଡିକାଲକୁ ଆଣିଥିଲେ। ତେବେ, ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।