You are currently viewing ଶେଷ ନିଦ୍ରାରେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ

ଶେଷ ନିଦ୍ରାରେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ


ଭୁବନେଶ୍ୱର: ସକାଳେ ସେ ଚା ବାଲା ,ମଧ୍ୟାହ୍ନରେ ଶିକ୍ଷକ ,ଅପରାହ୍ନରେ ସେ ପାଲଟି ଯାଆନ୍ତି ଜଣେ ସମାଜସେବୀ |ଏକଥା ଆମେ କହୁନୁ ଏକଥା ନିଜେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ରେଭେନ୍ସା କଲେଜର ଏକ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇ କହିଥିଲେ |ସେ ନିଜକୁ ପଦ୍ମଶ୍ରୀ ଚା ବିକାଳି ବୋଲି କହି ଗର୍ବ ଅନୁଭବ କରୁଥିଲେ |କହୁଥିଲେ ଯେତେବେଳେ ମୁଁ ପଦ୍ମଶ୍ରୀ ପାଇନଥିଲି ସେତେବେଳେ ମୁଁ ଜଣେ ସାଧାରଣ ଚା ବାଲା ଥିଲି କିନ୍ତୁ ପଦ୍ମଶ୍ରୀ ପାଇସାରିଲା ପରେ ଆଜି ମୋତେ ଲୋକ ସାର ବୋଲି ଡାକି ଚା ମାଗୁଛନ୍ତି |ନିଜ କର୍ମକୁ ସେ ଭଗବାନ ବୋଲି ଭାବି ନିସ୍ଵାର୍ଥପର ଭାବରେ ଲୋକ ମାନଙ୍କର ସେବା କରୁଥିଲେ |ଲୋକମାନଙ୍କ ସେବା କରୁଥିବା ଡି ପ୍ରକାଶ ରାଓ ଆଜି ଆମ ଗହଣରେ ଆଉ ନାହାନ୍ତି |ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅମୁଲ୍ୟ କଥା:-

ଡି.ପ୍ରକାଶ ରାଓ ୧୯୫୮ମସିହା ନଭେମ୍ବର ୧୧ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କର ପୁରା ନାମ ଥିଲା ଦେବରପଲ୍ଲୀ ପ୍ରକାଶ ରାଓ |ତାଙ୍କ ବାପା ଡି କ୍ରୀଷ୍ଣମୂର୍ତ୍ତୀ ଓ ମାଆ ଡି ଲକ୍ଷ୍ମୀ ଥିଲେ | ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ବିଶ୍ୱଯୁଦ୍ଧପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ । ଡି ପ୍ରକାଶ ରାଓଙ୍କର ଅଣଜେଜେ ଡି ଆପାଲସ୍ୱାମୀ କାକିନାଡ଼ାରୁ ଆସି କଟକରେ ରହିଥିଲେ । ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ ବ୍ୟକ୍ତି । “ଉତ୍କଳ ଟ୍ୟାନେରୀ”ର ସେ ଥିଲେ ଜଣେ ପରିଚାଳକ । ସ୍ତ୍ରୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟାଙ୍କୁ ନେଇ ଡି ପ୍ରକାଶଙ୍କର ଥିଲା ଏକ ସୁଖୀ ପରିବାର ।
ତାଙ୍କ ବାପା ଆରମ୍ଭ କରିଥିବା ବକ୍ସି ବଜାର ସ୍ଥିତ ସେ ଛୋଟିଆ ଚା ଦୋକାନରେ ଡି ପ୍ରକାଶ ରାଓ, ସକାଳୁ ଚା ବିକ୍ରି ସାରି କଟକ ବଡ଼ ଡାକ୍ତରଖାନାକୁ ସବୁଦିନ ଯାଉଥିଲେ । ସେଠାରେ ରୋଗୀମାନଙ୍କର ସେବା କରୁଥିଲେ ।ନିଜ ଜୀବନକାଳ ମଧ୍ୟରେ ୨୧୭ ଥର ରକ୍ତଦାନ କରିଥିଲେ ଡି.ପ୍ରକାଶ ରାଓ । ମୃତ୍ୟୁପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ । ଏତବ୍ୟତୀତ, ୨୦୦୦ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କପାଇଁ ଏକ ସ୍କୁଲ ଖୋଲିଥିଲେ । ସ୍କୁଲର ନାମ ରଖିଥିଲେ “ଆଶା ଆଶ୍ୱାସନା ଗୃହ” ଓ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ପିଲାଙ୍କୁ ସେଠାରେ ସେ ନିଜେ ଶିକ୍ଷାଦାନ କରୁଥିଲେ | ଚା’ ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରୁଥିଲେ । ତାଙ୍କର ଏହି ସମାଜସେବା ଦେଖି ଜିଲ୍ଲା ପ୍ରଶାସନ ଓ ସମାଜର ବଦାନ୍ୟବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁଥିଲେ ।ତାଙ୍କର ଏହି ମହାନ ଓ ନିସ୍ଵାର୍ଥପର କାର୍ଯ୍ୟ ପାଇଁ ୨୦୧୯ ମସିହାରେ ସେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ |କଟକରେ ରହୁଥିବା ଜଣେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ଥିଲେ ଡି.ପ୍ରକାଶ ରାଓ । ପେଶାରେ ସେ ଜଣେ ଚା’ ବିକାଳି ଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟପାଇଁ ଦେଶ ବିଦେଶରେ ପରିଚିତ ଥିଲେ ।ତାଙ୍କର ଏହି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକରେ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜ ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ |ତେବେ ଡି ପ୍ରକାଶ ରାଓ କରୋନା ମହାମାରୀରେ ପୀଡିତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଜି (୨୦୨୧ ମସିହା ଜାନୁଆରୀ ୧୩) ପରଲୋକ ଘଟିଛି |ଏହି ମହାନ ଆତ୍ମାଙ୍କର ବିୟୋଗରେ ଏଏନଏସ ପରିବାର ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳି |

ଅନ୍ୟମାନଙ୍କୁ ଜଣାନ୍ତୁ।