You are currently viewing ଆଜିଠାରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ଆଜିଠାରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ତିନି ଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼, ସମ୍ବଲପୁର ଓ ବୁର୍ଲାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଏହି ଗସ୍ତରେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ମହାମହିମ ଦ୍ରୌପଦୀ ମୁର୍ମୁ ଆଜି ବାରିପଦାରେ ପୂର୍ବାହ୍ନ ୧୧ଟା ୨୫ରୁ ଅପରାହ୍‌ଣ ୧୨ଟା ୨୫ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ। ଏହା ପରେ ସେ ଅପରାହ୍‌ଣ ୨ଟା ୩୫ରୁ ୩ଟା ୧୫ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ।

ସେହିପରି ଆସନ୍ତାକାଲି ତଥା ମଙ୍ଗଳବାର ରାଷ୍ଟ୍ରପତିଙ୍କୁ ମୟୂରଭଞ୍ଜର ପାହାଡପୁର ଗ୍ରାମବାସୀ ପୂର୍ବାହ୍‌ଣ ୮ଟା ୧୫ରୁ ୯ଟା ୧୫ ମଧ୍ୟରେ ସ୍ବାଗତ କରିବେ। ସେଠାରେ ରାଷ୍ଟ୍ରପତି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ସେ ପ୍ରୟାସ ଟ୍ରଷ୍ଟ ଦ୍ବାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବେ। ସକାଳ ୮ଟା ୫୦ରୁ ୯ଟା ୧୫ ମଧ୍ୟରେ ଏସ୍‌ଏଲଏସ୍‌ ମେମୋରିଆଲ ଆବାସିକ ସ୍କୁଲ ପରିସରରେ ସମାଧୀ ସ୍ଥଳକୁ ଯିବେ। ଏହା ପରେ ୯ଟା ୧୫ରୁ ୧୦ଟା ୪୫ ଭିତରେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ।  ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ସେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ମଙ୍ଗଳବାର ଅପରାହ୍‌ଣ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ।

ସେହିପରି ସନ୍ଧ୍ୟା ୫ଟା ୪୫ରେ ସେ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ଆସନ୍ତା ୨୨ ତାରିଖ ପୂର୍ବାହ୍‌ଣ ୧୦ଟା ୨୦ରୁ ୧୧ଟା ୨୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ। ଏହାପରେ ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।