You are currently viewing ନିୟମକୁ ମାନୁନାହିଁ ପର୍ଯ୍ୟଟନ ନିଗମ

ନିୟମକୁ ମାନୁନାହିଁ ପର୍ଯ୍ୟଟନ ନିଗମ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନର ଉନ୍ନତି କରିବା ପାଇଁ ତଥା ଦେଶ ବିଦେଶରୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସଂସ୍କୃତିକୁ ବିଶ୍ୱରେ ଆଦୃତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ନିଗମ ଗଠନ କରାଯାଇଥିବା ବେଳେ ରାଜନୈତିକ ଉଦାସୀନତା ଓ କିଛି ଅସାଧୁ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଏ ନିଗମଟି ପର୍ଯ୍ୟଟକଙ୍କ ଠାରୁ ଦୁରେଇ ଯାଉଛି ।  ନିକଟ ଅତୀତରେ ଓଟିଡିସି ଦ୍ୱାରା ପରିଚାଳିତ ନିମନ୍ତ୍ରଣ ହୋଟେଲରେ ଅର୍ଥ ଆତ୍ମସାତ ମାମଲାରେ ଗିରଫ ହୋଇ କିଛି ଅସାଧୁ କର୍ମଚାରୀ ଜେଲ ଯିବାର ନଜିର ରହିଛି ।


ଓଟିଡିସିର ପ୍ରାୟ 80 ପତିଶତ କର୍ମଚାରୀ ସର୍ଭିସ ପ୍ରୋଭାଇଡର ଦ୍ୱାରା ନିଯୁକ୍ତି ପାଇଥିବାରୁ ସେମାନଙ୍କ ଉପରେ କାହାର ଅଙ୍କୁଶ ରହୁନାହିଁ ।  ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବର୍ତମାନ ଓଟିଡିସିରେ କାର୍ଯ୍ୟରତ ଥିବା ଆଉଟ ସୋରସିଂ ସଂସ୍ଥାର କୌଣସି ଆଇନଗତ କାଗଜପତ୍ର ନାହିଁ  ।  ଏହି ସଂସ୍ଥାଟି ଉପରିସ୍ଥ ଅଧିକାରୀଙ୍କୁ କରାୟିତ କରି ଦୀର୍ଘ 10 ବର୍ଷରୁ ଊର୍ଧ୍ୱ ଓଟିଡିସିରେ କିପରି କାର୍ଯ୍ୟ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ବୋନସ ନ ଦେବା, ଦରମା ଟଙ୍କାରୁ କାଟିବା ଏପରିକି ସରକାରୀ ସୁବିଧା ସୁଯୋଗରୁ ସେମାନଙ୍କୁ ବଂଚିତ କରିବା ଭଳି ଅନେକ ଅଭିଯୋଗ ଶ୍ରମିକ ସଂଗଠନ ତରଫରୁ କରାଯାଉଥିବା ବେଳେ ଏହାକୁ ସମ୍ପୃକ୍ତ ସଂସ୍ଥା କିମ୍ବା ଅଧିକାରୀ ଧ୍ୟାନ ଦେଉନାହାନ୍ତି ।  ଅଭିଯୋଗ କରୁଥିବା କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ସେମାନଙ୍କ ନାମରେ ମିଥ୍ୟା ମାମଲା କରିବାର ଧମକ ଦିଆଯାଉଛି ।

ରାଜ୍ୟରେ ଥିବା କୌଣସି ପାନ୍ଥନିବାସରେ ପରିଚାଳକ ନ ଥିବାରୁ ସହପରିଚାଳକ ମାନେ ଦାୟୀତ୍ୱରେ ଅଛନ୍ତି ।  ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହେଉଛି ।
ପର୍ଯ୍ୟଟନ ସଚିବ କିମ୍ବା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ଫଳରେ ରାଜ୍ୟର ଏପରି ଏକ ସମ୍ମାନଜନକ ସଂସ୍ଥା ବାରମ୍ବାର କ୍ଷତି ସହିବା ଯୋଗୁଁ ଏହାର ଘରୋଇକରଣ ପାଇଁ ସରକାର ଚିନ୍ତା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଓଟିଡିସିକୁ ଠିକ ବାଟରେ ପରିଚାଳନା କରି ଆଉଟ ସୋରସିଂ ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ସହ ଠକେଇ କରିଥିବା ଏହି ସଂସ୍ଥା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।