You are currently viewing ୩୦ ବର୍ଷ ଧରି ବଧୂବେଶ

୩୦ ବର୍ଷ ଧରି ବଧୂବେଶ

ପ୍ରେମ ପାଇଁ କିଏ ସାତ ଦରିଆ ପାରି ହେଉଛି । ତ ପୁଣି ପ୍ରେମିକକୁ ରାସ୍ତାରୁ ହଟାଇବାକୁ କିଏ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ଦେଉଛି । ହେଲେ ପ୍ରେମ ପାଇଁ କେଉଁ ପ୍ରେମିକ ନିଜକୁ ୩୦ ବର୍ଷ ଧରି ବଧୂବେଶରେ ସଜାଇ ହେବା କଥା ଆପଣ କେବେ ଶୁଣିଛନ୍ତି କି ? ଭଲ କରି ଦେଖନ୍ତୁ ଏହି ପୁରୁଷ ଜଣଙ୍କୁ । ମଥାରେ ସିନ୍ଦୂର, ଓଠରେ ଲିପିଷ୍ଟିକ, ନାକ,କାନ ହାତ ସବୁଠି ଜଣେ ମହିଳାଙ୍କର ବେଶ । ଯେ କେହି ବି ଦେଖିଲେ ଭ୍ରମିତ ହୋଇଯିବ କି ଏ ଲୋକ ଜଣେ ମହିଳା ନା ପୁରୁଷ । ନା ଦର୍ଶକ ବନ୍ଧୁ ଏ ହେଉଛନ୍ତି ମହିଳା ବେଶରେ ଦୀର୍ଘ ୩୦ ବର୍ଷ ହେବ ନିଜକୁ ସଜାଇ ରଖୁଥିବା ପୁରୁଷ ଚିନ୍ତାହରଣ ଚୌହାନ । ସେ କାମକୁ ଯାଆନ୍ତୁ ବା ଘରେ ରୁହନ୍ତୁ ସବୁବେଳେ କିନ୍ତୁ ମହିଳା ବେଶରେ ନିଜକୁ ସଜାଇ ରଖିଥାନ୍ତି । ଜଣେ ପୁରୁଶ କେବେ କେବେ ଅଭିନୟ କରିବା ବେଳେ ମହିଳା ବେଶରେ ସଜାଇ ହେଉଥିବା ଦୃଶ୍ୟ ଆପଣ ଦେଖିଥିବେ । ହେଲେ ବିନା କାରଣରେ ଜଣେ ପୁରୁଷ ଏଭଳି ସଜେଇ ହେବା ପଛରେ ରହିଛି ଏକ କରୁଣ କାହାଣୀ । ଏ ହେଉଛନ୍ତି ଚିନ୍ତାହରଣ ଚୌହାନ । ଉତ୍ତର ପ୍ରଦେଶର ଜୌନପୁରୀ ଜିଲ୍ଲାର ହୈଜଖାସ ଗାଁରେ ବାସ କରନ୍ତି । ସକାଳୁ ନିତ୍ୟକର୍ମ ସାରିବା ପରେ ତାଙ୍କର ପ୍ରଥମ କାମ ହେଉଛି ନିଜକୁ ମହିଳା ବେଶରେ ସଜାଇବା । ଏହାପରେ ସେ ନିଜ କାମରେ ବାହାରି ଯାଆନ୍ତି ଚିନ୍ତାହରଣ । ଏସବୁ ଦୃଶ୍ୟ ପଛରେ ରହିଛି ଏକ ଅଦ୍ଭୁତ କାହାଣୀ । ଚିନ୍ତାହରଣ ପେଶାରେ ଜଣେ ଶ୍ରମିକ । ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁପରେ ସେ ପଶ୍ଚିମବଙ୍ଗର ଦିନାଜପୁର ଚାଲିଯାଇଥିଲେ । ସେଠାରେ ସେ ଏକ ଇଟା ଭାଟିରେ କାମ କରୁଥିଲେ । ହେଲେ ଇଟାଭାଟି ନିକଟରେ ଥିବା ଏକ ରାସନ ଦୋକାନୀର ଝିଅ ସହ ତାଙ୍କର ପ୍ରେମ ସଂପର୍କ ହୋଇଯାଇଥିଲା । ଚିନ୍ତାହରଣ ପରିବାର ଲୋକଙ୍କୁ ନଜଣାଇ ସେହି ଝିଅକୁ ବିବାହ କରିଥିଲେ ।

ହେଲେ ପରିବାର ଲୋକେ ଏକଥା ଜାଣିବା ପରେ ସେ ଝିଅକୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ । ଶେଷରେ ଚିନ୍ତାହରଣ ଦିନାଜପୁର ଇଟାଭାଟି ଛାଡି ପୁଣି ନିଜ ପୈତୃକ ଗ୍ରାମକୁ ଫେରିଆସିଥିଲେ । ସେପଟେ ଦିନାଜପୁରରେ ଚିନ୍ତାହରଣଙ୍କ ଦ୍ୱିତୀୟ ପତ୍ନୀ ଆତ୍ମହତ୍ୟା କରିଦେଇଥିଲେ । ଏହାପରେ ଚିନ୍ତାହରଣଙ୍କ ପରିବାର ଉପରେ ମାଡି ଆସିଥିଲା ବିପଦ । ଜଣଙ୍କ ପରେ ଜଣେ ପରିବାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଭାବେ ପରିବାରର ୧୪ଜଣଙ୍କର ମୃତ୍ୟୁପରେ ପୁରା ଭାଙ୍ଗିପଡିଥିଲେ ଚିନ୍ତାହରଣ । ନା ଔଷଧ କାମ କରୁଥିଲା ନା ଡାକ୍ତରୀ ବିଜ୍ଞାନ । ଅସହାୟ ହୋଇପଡିଥିଲେ ଚିନ୍ତାହରଣ । ଏଭଳି ଭାବେ ଦିନେ ରାତିରେ ସେ ଶୋଇଥିବା ବେଳେ ତାଙ୍କ ସ୍ୱପ୍ନରେ ଆସିଥିଲେ ଦ୍ୱିତୀୟ ପତ୍ନୀ । ସ୍ୱପ୍ନରେ ଦ୍ୱିତୀୟ ପତ୍ନୀଜଣଙ୍କ ଚିନ୍ତାହରଣଙ୍କୁ ଡରାଇବା ସହ ଜୋରରେ କାନ୍ଦିଥିଲେ । ଏସବୁ ଦେଖି ଚିନ୍ତାହରଣ ସ୍ୱପ୍ନରେ ତାଙ୍କୁ କ୍ଷମା ମାଗିଥିଲେ । ହେଲେ ଦ୍ୱିତୀୟ ପତ୍ନୀ ଜଣଙ୍କ କ୍ଷମା କରିବା ପାଇଁ ସ୍ୱାମୀଙ୍କ ପାଖରେ ସର୍ତ୍ତ ରଖିଥିଲେ । ଏହି ସର୍ତ୍ତ ମୁତାବକ ଦ୍ୱିତୀୟ ପତ୍ନୀ କହିଥିଲେ କି ଆଜିଠାରୁ ତୁମେ ଯଦି ସବୁଦିନ ବଧୁବେଶରେ ସଜେଇ ହୋଇ ରହିବ ତେବେ ମୁଁ ତୁମକୁ କ୍ଷମା କରିଦେବି ଓ ଅକାଳରେ ତୁମ ପରିବାରର କେହି ମୃତ୍ୟୁବରଣ କରିବେ ନାହିଁ । ଦ୍ୱିତୀୟ ପତ୍ନୀଙ୍କ ସର୍ତ୍ତ ମୁତାବକ ସେବେଠାରୁ ୩୦ ବର୍ଷ ହେବ ଚିନ୍ତାହରଣ ଏହି ସର୍ତ୍ତ ପାଳନ କରିଆସୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।