You are currently viewing ସରକାରଙ୍କ ହୋମକ୍ୱାରେଣ୍ଟାଇନ ନିର୍ଣ୍ଣୟ କେତେ  ଫଳପ୍ରଦ?

ସରକାରଙ୍କ ହୋମକ୍ୱାରେଣ୍ଟାଇନ ନିର୍ଣ୍ଣୟ କେତେ ଫଳପ୍ରଦ?

କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ରାଜ୍ୟରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ବୁଧବାର ରାଜ୍ୟରେ ସର୍ବାଧିକ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟପଟେ ୫ଜଣଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ଖାଲି ସାଧାରଣ ଲୋକ ନୁହଁନ୍ତି, କରୋନାରେ ନେତା, ମନ୍ତ୍ରୀ, ପୋଲିସ ଓ ଡାକ୍ତରଙ୍କର ମଧ୍ୟ ପ୍ରାଣ ଗଲାଣି । ତେବେ ଏତେ ସବୁ ସଜାଗ ଓ ନିୟମ ଭିତରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏକ ଚିନ୍ତାର ବିଷୟ । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରାୟାସ ଜାରି ରଖିଛନ୍ତି । ତା’ସହିତ ନୂଆ ନୂଆ ଗାଇଡ଼ ଲାଇନ ମଧ୍ୟ ଜାରି କରାଯାଉଛି । ତଥାପି ବେକାବୁ କରୋନା । କେବେ କରୋନାର ପ୍ରତିଶେଷଧ ବାହାରିବ ଏବଂ ସେହି ପ୍ରତିଶେଷଧକ ମଣିଷ କ୍ଷେତ୍ରରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କରିବ ସେହି ଚିନ୍ତାରେ ସମଗ୍ର ବିଶ୍ୱ ।


ଏପଟେ ରାଜ୍ୟରେ ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧି ହେଉଥିବା ଦେଖି, ଅନେକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି । ଯେତେବେଳେ ଅଳ୍ପ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ସେତେବେଳେ ଲୋକମାନେ ବେଶୀ ଆତଙ୍କିତ ହେଉଥିଲେ । ଅନେକ ଘରୁ ମଧ୍ୟ ବାହାରୁ ନଥିଲେ । କିନ୍ତୁ ଏବେକାର ସ୍ଥିତି ଅଲଗା ଦେଖିବାକୁ ମିଳୁଛି । ଏତେ ସଂଖ୍ୟକ ପଜେଟିଭ୍ ଚିହ୍ନଟ ହେବାପରେ ବି ଲୋକେ ଆଉ ଖାତିର କରୁନାହାଁନ୍ତି ।

ଯାହାଫଳରେ ମାତ୍ରାଧିକ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛନ୍ତି । ସେପଟେ ସରକାରଙ୍କର ହୋମ କ୍ୱାରେଣ୍ଟାଇନ ନିର୍ଣ୍ଣୟ ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବାନୁଯାୟୀ, ସରକାରଙ୍କର ହୋମ କ୍ୱାରେଣ୍ଟାଇନ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭାବରେ ଭୁଲ । ରାଜ୍ୟରେ ସଂକ୍ରମଣ ମାତ୍ରା ବୃଦ୍ଧି ପାଇଁ କୌଣସି ନା କୌଣସି କ୍ଷେତ୍ରରେ ସରକାରଙ୍କ ହୋମ କ୍ୱାରେଣ୍ଟାଇନ ନିର୍ଣ୍ଣୟ ଦାୟୀ । କାରଣ ଏଭଳି ହେବାଦ୍ୱାରେ ଲୋକମାନେ ସଠିକ୍ ଭାବରେ ନିଜ ଘରେ ସଂଙ୍ଗରୋଧରେ ରହୁନାହାଁନ୍ତି ।

ଯଦିବା କେହି କେହି ରହିବା ପାଇଁ ଚାହୁଁଛନ୍ତି, ତେବେ ପରିବାର ଛୋଟ, ଶୌଚ୍ଚାଳୟର ଅସୁବିଧା, ଘରେ ରହିବା ପାଇଁ କୋଠରୀର ଅଭାବ ଇତ୍ୟାଦି ଅନେକ କାରଣରୁ ସମସ୍ତେ ହୋମକ୍ୱାରେଣ୍ଟାଇନରେ ସଠିକ୍ ଭାବରେ ରହିପାରୁ ନାହାଁନ୍ତି । ଯାହାଫଳରେ ଆକ୍ରାନ୍ତଙ୍କ ସହ ପରିବାର ଲୋକ ମଧ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ସଂଙ୍ଗରୋଧ ଗୃହର ସଂକ୍ରମଣଙ୍କ ସଂଖ୍ୟାଠାରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏସବୁକୁ ବିଚାର କରି ସରକାର କିଛି ଗୋଟେ ସ୍ଥାୟୀ ଓ ଜନହିତକର ନିର୍ଣ୍ଣୟ ନିଅନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।