You are currently viewing ଶୀତଦିନରେ ଶରୀରକୁ ସତେଜ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଖାଦ୍ୟ

ଶୀତଦିନରେ ଶରୀରକୁ ସତେଜ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଖାଦ୍ୟ

ଶୀତଦିନ ପାଖେଇ ଆସୁଛି। ତେବେ ଆସନ୍ତୁ ଜାଣିବା ଏହି ଦିନରେ କିଛି ସ୍ଵତନ୍ତ୍ର ଖାଦ୍ୟପେୟ ବିଷୟରେ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ବିଭିନ୍ନ ପ୍ରକାରର ଶାଗ ଖାଇବା ଭଲ। ଶାଗ ଖାଇବା ଦ୍ୱାରା ଶରୀରକୁ ଭିତରୁ ଉଷ୍ଣତା ମିଳୁଥିବାର ତଥ୍ୟରୁ ଜଣାପଡ଼ିଛି। ସୋରିଷ ଶାଗକୁ ମଧ୍ୟ ଭୋଜନରେ ସାମିଲ କରନ୍ତୁ। କ୍ୟାଲୋରୀ ଭରପୂର ଶାଗରେ କାର୍ବୋହାଇଡ୍ରେଟ୍, ଫାଇବର, ପୋଟାସିୟମ୍, ଭିଟାମିନ୍ ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ୍, ଲୌହ, କ୍ୟାଲସିୟମ୍ ଥ‌ିବା ଏହି ଶାଗ ସ୍ଵାସ୍ଥ୍ୟ ପାଇଁ ଖୁବ୍ ହିତକାରୀ।

ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ସୋରିଷ ଶାଗ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ସପ୍ତାହକୁ ଅନ୍ତତଃ ୨-୩ଥର ସୋରିଷ ଶାଗ ଖାଇଲେ ଶରୀରରେ କୋଲଷ୍ଟୋରଲ୍ ସ୍ତର ନିୟନ୍ତ୍ରଣ ରହେ। ହୃଦ୍ ରୋଗୀରୁ ବର୍ତିବାକୁ ଚାହୁଁଥିବା ଲୋକ ନିଜ ଡାଏଟ୍ ତାଲିକାରେ ସୋରିଷ ଶାଗ ସାମିଲ କରିବା ଭଲ ବୋଲି ଖାଦ୍ୟ ବିଶେଷଜ୍ଞ ମତ ପ୍ରଦାନ କରିଛନ୍ତି। କ୍ୟାଲସିୟମ୍ ଓ ପୋଟାସିୟମ୍ ଭରପୂର ଏହି ଶାଗ ଖାଇଲେ ହାଡ଼, ଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତରେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ନିୟମିତ ସୋରିଷ ଶାଗ ଖାଇଲେ ଉପଶମ ମିଳେ। 

ସେହିପରି ରାତିରେ ଉଷୁମ କ୍ଷୀର ଗିଲାସରେ ୧ ଚାମଚ ହଳଦୀ ମିଶାଇ ପିଇବା ମଧ୍ୟ ଖୁବ୍ ହିତକାରୀ। ଶୀତଋତୁରେ ଦୈନିକ ସକାଳୁ ଖାଲିପେଟରେ ରସୁଣ ୨ ପାଖୁଡ଼ା ଚୋବାଇ ଖାଆନ୍ତୁ। ଏହା ଦ୍ୱାରା ଆପଣ ଥଣ୍ଡା ସମସ୍ୟାରୁ ରକ୍ଷା ପାଇପାରିବେ। ସେହିପରି ଭୋଜନ ସମୟରେ ଆପଣ କଞ୍ଚା ପିଆଜ ଖାଇବାର ଅଭ୍ୟାସ କରନ୍ତୁ।

 ଖାଦ୍ୟ ବିଶେଷଜ୍ଞଙ୍କ ମତରେ ରସୁଣ, ପିଆଜରେ ଥିବା ଏଲିସିନ୍ ତତ୍ତ୍ଵ କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାଳନ ଭଲଭାବେ ହେଉଥ‌ିବା ସହ ଶରୀର ଉଷ୍ଣ ମଧ୍ୟ ରହେ। ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ନିଜ ଡାଏଟରେ ଅଖରୋଟ୍, ବାଦାମ ଭଜା, ରାଶି ଇତ୍ୟାଦି ସାମିଲ କଲେ ମଧ୍ୟ ଲାଭ ପାଇପାରିବେ। ସକାଳ ବେଳା ଯଦି ଚା’ ପିଇବାର ଅଭ୍ୟାସ ଅଛି ତେବେ, ସେଥ‌ିରେ ୧ଚାମଚ ଅଦାରସ ମିଶାଇ ପିଇବାର ଅଭ୍ୟାସ କରନ୍ତୁ। ଏଇ ଉପାୟରେ ଆପଣଙ୍କ ଶରୀରକୁ ଶକ୍ତି ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।