election

ଫାଇଦା ପାଇବ କି କଂଗ୍ରେସ?

ଭୁବନେଶ୍ୱର(ଏଏନଏସ): ଦେଶ ଓ ରାଜ୍ୟରେ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଏବେ କ୍ଷମତା ଠାରୁ ବହୁତ ଦୂରରେ ରହିଛି। କ୍ରମାଗତ ଭାବରେ ସାଙ୍ଗଠନିକ ଦୁର୍ବଳତା ଓ ନିଜ ନିଜ ମଧ୍ୟରେ ଗୋଷ୍ଠୀ କନ୍ଦଳ କଂଗ୍ରେସର ମୂଳଦୁଆକୁ ଦୋହଲାଇଦେଇଛି। 80 ଦଶକ ପରେ ରାଜ୍ୟରେ କଂଗ୍ରେସ ଦଳ ଶାସନ କ୍ଷମତା ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା। ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜ୍ୟରେ ଅନୁକମ୍ପା ମୂଳକ ଭୋଟ ପାଇଁ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସରକାର ଗଠନ କରିଥିଲା। ମାତ୍ର ବିଭିନ୍ନ ଉର୍ନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିରେ ବୁଡି ରହିବା ହେତୁ ୨ହଜାର ମସିହାରେ ରାଜ୍ୟବାସୀ କଂଗ୍ରେସ ଦଳକୁ ସମର୍ଥନ କରିନଥିଲେ। ନୂତନ ଭାବେ ଗଠନ ହୋଇଥିବା ଆଂଚଳିକ ବିଜେଡି ଦଳକୁ ରାଜ୍ୟବାସୀ ସମର୍ଥନ କଲେ।

ବିଜେଡି-ବିଜେପି ମେଣ୍ଟ ସରକାର ଶାସନ ଭାର ଗ୍ରହଣ କରିବାକୁ ସକ୍ଷମ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟ ଦଳ ମଧ୍ୟରେ ମତାନ୍ତର ଘଟିଥିଲା ଓ ବିଜେପି ସରକାରରୁ ଓହରି ଆସିଥିଲା। ଏବେ ପୁଣି 2024 ନିର୍ବାଚନ ପାଇଁ ବିଜେଡି ଓ ବିଜେପି ହାତ ମିଳାଇବାକୁ ଯାଉଥିବା ବେଳେ କଂଗ୍ରେସ ଦଳ ଏହାର ଫାଇଦା ନେଇପାରିବ କି ବୋଲି ସାଧାରଣରେ ଆଲୋଚନା ହେଉଛି। କଂଗ୍ରେସ ଦଳର ବର୍ତ୍ତମାନ ରହିଥିବା ସାଙ୍ଗଠନିକ ସ୍ଥିତିକୁ ଲକ୍ଷ୍ୟ କଲେ ଦଳ ରାଜ୍ୟବାସୀଙ୍କର ଯେ ଆସ୍ଥାଭାଜନ ହୋଇପାରିବ ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ନିର୍ବାଚନ ପରେ ଜଣା ପଡି଼ବ କଂଗ୍ରେସ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିଛି ନା ଦଳକୁ ରସାତଳଗାମୀ କରିବାରେ ସାହାଯ୍ୟ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।