You are currently viewing ‘ନିଟ୍-ପିଜି’ ନାମଲେଖା ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ

‘ନିଟ୍-ପିଜି’ ନାମଲେଖା ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ ୦୭/୦୧:  ନିଟ୍ ପିଜି କାଉନସେଲିଂ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ପିଜି ଡାକ୍ତରୀ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ୨୭ ପ୍ରତିଶତ ଓ ଇଡବ୍ଲୁଏସ୍ ବା ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତା ରହିବ ବୋଲି କୋର୍ଟ ଅନୁମତି ଦେଇଛନ୍ତି।ଚଳିତ ବର୍ଷ ମେଡିକାଲ ପିଜି ନାମଲେଖା ପାଇଁ କାଉନସେଲିଂ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି କୋର୍ଟ କହିଛନ୍ତି। ଏହାସହ ଆର୍ଥିକ ଅନଗ୍ରସର ଚିହ୍ନଟ ଲାଗି ଥିବା ୮ ଲକ୍ଷ ଟଙ୍କାର ବାର୍ଷିକ ଆୟ ମାନଦଣ୍ଡକୁ ମଧ୍ୟ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ମାମଲାର ଶୁଣାଣି କରି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏ. ଏସ୍. ବୋପାନ୍ନା ନିଟ୍ ପିଜି କାଉନସିଲିଂ ଆରମ୍ଭ କରିବାକୁ କହିଥିବା ସହ ଆର୍ଥିକ ଅନଗ୍ରସର ବର୍ଗ ଚିହ୍ନଟ ଲାଗି ଥିବା ଜାରି ମାନଦଣ୍ଡ ସଂପର୍କରେ ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି କରିବାକୁ କହିଛନ୍ତି।

ସୂଚନା ଅନୁଯାୟୀ ‘ନିଟ୍-ପିଜି’ ନାମଲେଖା ପ୍ରକ୍ରିୟାରେ ବିଳମ୍ବ ହେବାରୁ ଗତ ଡିସେମ୍ବର ମାସରେ ଦେଶବ୍ୟାପୀ ଆବାସିକ ଡାକ୍ତରମାନେ ଆନ୍ଦୋଳନ କରିଥିଲେ । ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ପକ୍ଷରୁ ଦେଶବ୍ୟାପୀ ହରତାଳ ଡାକରା ମଧ୍ୟ ଦିଆଯାଇଥିଲା । ମାତ୍ର ହସ୍ପିଟାଲରେ ରୋଗୀ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ଆନ୍ଦୋଳନ ସ୍ଥଗିତ ରଖିଥିଲେ ଡାକ୍ତରୀ ଛାତ୍ର । ତେବେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଆଶ୍ବସ୍ତି ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।