You are currently viewing ବଢିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଡୁଆ

ବଢିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଡୁଆ

ନୂଆଦିଲ୍ଲୀ(୨୨.୨.୨୩) : ଦିଲ୍ଲୀରେ ବିବାଦୀୟ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ପୁଣି ଏକ ନୂଆ ଅଡୁଆ ଦେଖାଦେଇଛି । ଏବେ ଗୃହମନ୍ତ୍ରଣାଳୟ ତରଫରୁ ଫିଡବ୍ୟାକ୍ ୟୁନିଟ ସହାୟତାରେ ଗୁଇନ୍ଦାଗିରି କରିବା ମାମଲାରେ ସିବିଆଇ ତଦନ୍ତକୁ ଅନୁମତି ଦେଇଛନ୍ତି । ସିବିଆଇ ତରଫରୁ କିଛିଦିନ ପୂର୍ବେ ଫିଡବ୍ୟାକ୍ ୟୁନିଟ ମାଧ୍ୟମରେ ଗୁଇନ୍ଦା ଗିରି କରିବା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ୍ରଅନୁମତି ମାଗିଥିଲା । ଉପ ରାଜ୍ୟପାଳଙ୍କ ସୁପାରିଶ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ମନୀଷ ସିସୋଦିଆ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯିବ । ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ନାମରେ ସିବିଆଇରେ ଯାଂଚ ଚାଲିଛି । ଏନେଇ ସିବିଆଇ ତରଫରୁ ସିସୋଦିଆଙ୍କ ବାସଭବନ ଓ ବ୍ୟାଙ୍କ ଲକର ଉପରେ ଚଢାଉ କରାଯାଇଥିଲା । ଏହି ମାମଲାରେ ସିବିଆଇରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ କରାଯାଇଥିବା ବେଳେ ସେ ଦିଲ୍ଲୀ ସରକାରଙ୍କ ବଜେଟ ପ୍ରସ୍ତୁତିରେ ବ୍ୟସ୍ତଥିବା ଦର୍ଶାଇ ସିବିଆଇକୁ ସମୟ ମାଗିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।