You are currently viewing ୪ ଡିସେମ୍ବରରେ କାହିଁକି ପାଳନ କରାଯାଏ ନୌସେନା ଦିବସ

୪ ଡିସେମ୍ବରରେ କାହିଁକି ପାଳନ କରାଯାଏ ନୌସେନା ଦିବସ

ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ପାଳନ ହୁଏ ନୌସେନା ଦିବସ । କାରଣ ୧୯୭୧ ମସିହା ଡିସେମ୍ବର ୪ ତାରିଖରେ ଭାରତ-ପାକିସ୍ତାନୀ  ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଥିଲା।  ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ  ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଏ ।  ଭାରତୀୟ ନୌସେନା  ଦେଶର ସାମରିକ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଦେଶର ସାମୁଦ୍ରିକ ସୀମା ରକ୍ଷା କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସହ ଭାରତର ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବାରେ ମଧ୍ୟ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ, ଭାରତୀୟ ନୌସେନା ଏହାର ବୃହତ ତଥା ଉନ୍ନତ ଫିଚର ବିଶିଷ୍ଟ ଯୁଦ୍ଧ ଜାହାଜ, ସବମେରାଇନ୍ସର ଶକ୍ତିରେ ବିଶ୍ୱର ଚତୁର୍ଥ ସ୍ଥାନରେ ଅଛି।

ଜାଣନ୍ତୁ ଭାରତୀୟ ନୌସେନାର ଯୁଦ୍ଧର ସଫଳତା: ୧୯୭୧ ଡିସେମ୍ବର ୩ ଦିନ ଭାରତ-ପାକିସ୍ତାନୀ ଯୁଦ୍ଧରେ  ଭାରତର ଏୟାରସ୍ପେସ ଏବଂ  ସୀମାକ୍ଷେତ୍ରରେ ପାକିସ୍ତାନ  ସେନା ଆକ୍ରମଣ କରିଥିଲା ।   ପାକିସ୍ତାନକୁ ଉପଯୁକ୍ତ ଜବାବ ଦେବା ପାଇଁ ଭାରତୀୟ ନୌସେନା ଦ୍ୱାରା  ମିଶନ ‘ଅପରେସନ୍ ତ୍ରିସୁଲ୍ (ଟ୍ରାଇଡେଣ୍ଟ)’ ଆରମ୍ଭ କରାଯାଇଥିଲା। କରାଚି ବନ୍ଦରଗାହ ଏବଂ ସେଠାରେ ଅବସ୍ଥିତ ପାକିସ୍ତାନର ନୌସେନା ମୁଖ୍ୟାଳୟକୁ ଟାର୍ଗେଟ କରି ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଆକ୍ରମଣ ପାଇଁ ଭାରତରୁ ଏକ ମିସାଇଲ୍ ଡଙ୍ଗା ଏବଂ ଦୁଇଟି ଯୁଦ୍ଧ ଜାହାଜ ପଠାଯାଇଥିଲା।ଏହି ଯୁଦ୍ଧ ଜାହାଜଗୁଡ଼ିକ ନିଜେ ରାତିରେ କରାଚି ବନ୍ଦରକୁ ଅବରୋଧ କରିଥିଲା ।  ଭାରତୀୟ ନୌସେନା ପ୍ରଥମେ କରାଚି ଉପକୂଳରେ ଜାହାଜର ଏକ ଦଳ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଜାହାଜକୁ ଆଣ୍ଟି-ସିପ୍ ମିଶାଇଲ  ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅନେକ ପାକିସ୍ତାନୀ ଜାହାଜ ନଷ୍ଟ ହୋଇଯାଇଥିବା ସହ  ପାକିସ୍ତାନର ତେଲ ଟାଙ୍କି ମଧ୍ୟ ନଷ୍ଟ ହୋଇଯାଇଥିଲା।

କରାଚି ବନ୍ଦରଗାହରେ ଥିବା ତେଲଟ୍ୟାଙ୍କରରେ ନିଆଁ ଲାଗିଯାଇଥିବାର  ୬୦ କିଲୋମିଟର ଦୂରରୁ  ଦେଖାଯାଇ ପାରୁଥିଲା। ଏହି ଅଗ୍ନିକାଣ୍ଡ ଅନେକ ଦିନ ଧରି ଜଳିଥିଲା।  ଭାରତୀୟ ନୌସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନର କରାଚି ନୌସେନା ବେସ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା।  ସେବେଠାରୁ ଭାରତୀୟ ନୌସେନା ଶକ୍ତି ଏବଂ ସାହସିକତାକୁ ସ୍ମରଣ କରି ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ।

୧୬୧୨ ମସିହାରେ ଭାରତୀୟ ନୌସେନାର ଜନ୍ମ ବା ପ୍ରତିଷ୍ଠିତ ହୋଇଥିଲା ।  ସେହି ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାର ଜାହାଜଗୁଡିକର ସୁରକ୍ଷା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀର ସାମୁଦ୍ରିକ ଶକ୍ତି ରୂପରେ ଏକ ସନ୍ୟବାହିନୀ ଗଠନ କରିଥିଲା। ୧୬୮୬ ମସିହା ସୁଦ୍ଧା, ବ୍ରିଟିଶ ବାଣିଜ୍ୟ ବମ୍ବେରେ  ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ ହୋଇଥିଲା । ଏହା ପରେ ଏହାର ନାମ ପୂର୍ବ ଇଣ୍ଡିଆ ମେରାଇନ୍ ରୁ ବମ୍ବେ ମେରାଇନରେ ପରିବର୍ତ୍ତନ କରାଯାଇଥିଲା । ୧୮୨୪ ରେ  ବମ୍ବେ ମେରାଇନ୍ ମରାଠା, ସିନ୍ଧି ଯୁଦ୍ଧ ଏବଂ ବର୍ମା ଯୁଦ୍ଧରେ ଭାଗ ନେଇଥିଲା । ଯାହା ପରେ ରୟାଲ୍ ଇଣ୍ଡିଆନ୍ ନୌସେନା ନାମରେ ନାମିତ ହେଲା ।  ଭାରତର ସ୍ୱାଧୀନତା ପରେ  ୧୯୫୦ ମସିହାରେ ନୌସେନାକୁ  ପୁନଃ ନିର୍ମାଣ କରାଯାଇଥିଲା ଏବଂ ଏହାର ନାମ ଭାରତୀୟ ନୌସେନାରେ ପରିବର୍ତ୍ତନ କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।