You are currently viewing ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ବୈଠକ ଅନୁଷ୍ଠିତ: ଭୋର ୪ଟା୩0ରେ ଉଠିବ ମହାଦୀପ

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ବୈଠକ ଅନୁଷ୍ଠିତ: ଭୋର ୪ଟା୩0ରେ ଉଠିବ ମହାଦୀପ

  • Post category:ଓଡିଶା
  • Reading time:1 mins read


ଭଦ୍ରକ (ପ୍ରିୟବ୍ରତ)- ଆସନ୍ତାମାସ ଅର୍ଥାତ ମାର୍ଚ୍ଚ ୧୧ରେ  ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ଅଧକ୍ଷତାରେ ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସେବାୟତ ବିଜୟ କୁମାର ଦାଶ ମଣିବାବାଙ୍କର ଜାଗରଯାତ୍ରା ଦିନ ହେବାକୁ ଥିବା ନୀତିକାନ୍ତି ସମ୍ବନ୍ଧରେ ସୂଚନା ଦେଇଥିଲେ । ଜାଗରଦିନ ଭୋର ୪ଟାରେ ମଣିବାବାଙ୍କର ଦ୍ଵାର ଫିଟିବା ପରେ ମଙ୍ଗଳ ଆରତୀ,  କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଲାଗି ହେବ । ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି କରାଯିବ । ସକାଳ ୫ଟା ଠାରୁ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରାତ୍ର ୧୨ଟା ଯାଏଁ ମନ୍ଦିର ସାହାଣ ମେଲା ରହିବ । ରାତ୍ର୧ଟାରେ ମଣିବାବାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ଭୋର ୪ଟା ୩୦ରେ ରୀତିନୀତି ଅନୁଯାୟୀ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ପୀଠରେ ସୁରକ୍ଷା ବ୍ୟବସ୍ଥା ପାଇଁ ମନ୍ଦିର ଭିତରେ ଓ ବାହାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ । ଏଥିସହ ପୀଠରେ ଥିବା ତିନିତର, ମୁଆଁ ଓ ଧାନଖଣିଆ ୩ଟି ନଦୀଘାଟକୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପଇଁତରା ଦିଆଯିବ । ଯାତ୍ରାର ୩ଦିନ ପୂର୍ବରୁ ପୀଠରେ ପରିମଳ, ପାନୀୟଜଳ ଓ ବିଦ୍ୟୁତ ବ୍ୟବସ୍ଥା କରାଯିବ । ତେବେ ଶିବରାତ୍ରିରେ ଭକ୍ତଙ୍କ ସମାଗମ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।                          

ଅନ୍ୟମାନଙ୍କୁ ଜଣାନ୍ତୁ।