You are currently viewing ବ୍ୟାଙ୍କ ଏବଂ ଏଟିଏମ ଲୁଟ ଯୋଜନା ପଣ୍ଡ କଲା ପୋଲିସ, 6 ଗିରଫ ଓ 3 ଫେରାର

ବ୍ୟାଙ୍କ ଏବଂ ଏଟିଏମ ଲୁଟ ଯୋଜନା ପଣ୍ଡ କଲା ପୋଲିସ, 6 ଗିରଫ ଓ 3 ଫେରାର

ପୁରୀ, ରାଜ୍ୟରେ ମାତିଛନ୍ତି ଲୁଟେରା । ଲୋକଙ୍କଠାରୁ ନୁହେଁ ବରଂ ବଡ ଧରଣର ଡକାୟତି ଆଶାରେ ବ୍ୟାଙ୍କ ଏବଂ ଏଟିଏମ ଲୁଟ କରୁଛନ୍ତି ଲୁଟେରା । ଲୁଟେରାଙ୍କ ଟାର୍ଗେଟରେ ଥିଲା ମେଡିକାଲ ଛକ ପଞ୍ଜାବ ନାସନାଲ ବ୍ୟାଙ୍କ ଏବଂ ଏଟିଏମ । ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସରିଥିଲା । ହେଲେ ଲୁଟେରାଙ୍କ ଯୋଜନା ପଣ୍ଡ କରିଦେଲା ପୋଲିସ । ଯୋଜନା ଚାଲୁଥିବା ସମୟରେ ଲୁଟେରାଙ୍କୁ ମାଡିବସିଥିଲା କୁମ୍ଭାରପଡା ଥାନା ପୋଲିସ । ସେଠାରୁ 6 ଜଣଙ୍କୁ ଗିରଫ କରିଛି ପୋଲିସ ଏବଂ 3 ଜଣ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

ଗିରଫ ଡକାୟତମାନେ ହେଲେ ସୁଦର୍ଶନ ନଗରର ଶିବ ଦାସ(28), ଗଣାମଲ୍ଲ ସାହିର ରିତେଶ ମହାପାତ୍ର (20), ବାଲି ସାହିର ଆନନ୍ଦ ସ୍ବାଇଁ (20), ମଣିକର୍ଣ୍ଣିକା ସାହିର ଚିତ୍ତରଞ୍ଜନ ମହାନ୍ତି (31), ବଳିଆପଣ୍ଡା ବିଜୟନଗରର ସୁଦର୍ଶନ ସାହୁ (45), ଓ ମିଶ୍ର ସାହି ଜଗନ୍ନାଥ ବସ୍ତିର ମନୋଜ ପଣ୍ଡା (20)।

ସେମାନଙ୍କ ନିକଟରୁ 2ଟି ବୋମା,2ଟି ଖଣ୍ଡା, 3ଟି ଲୁହା ରଡ ଓ ଏକ ଟର୍ଚ୍ଚ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରି ଖସି ଯାଇଥିବା ଅଭିଯୁକ୍ତଙ୍କ ତଥ୍ୟ ସଂଗ୍ରହ କରିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଇଆଇସି ବିଚିତ୍ରାନନ୍ଦ ସେଠୀ ।

ପୋଲିସ କହିଛି ଯେ ଗତକାଲି ନରେନ୍ଦ୍ର କୋଣ ଦଶ ତୁଠ ଠାରେ ଏହି ଡକାୟତମାନେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ବିଳମ୍ବିତ ରାତ୍ରିରେ ହୋଇଥାନ୍ତା ଚଢ଼ଉ । ଠିକ୍ ଏହି ସମୟରେ ଏସ୍ଆଇ ବିଜୟ କୁମାର ପଣ୍ଡା ଖବର ପାଇ ଟିମ ସହ ଚଢ଼ଉ କରିଥିଲେ । ପୋଲିସକୁ ଦେଖି ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ଖସି ଯିବରେ 3 ଜଣ ସକ୍ଷମ ହୋଇପାରିଛନ୍ତି ।

ଜେରା ସମୟରେ ଡକାୟତମାନେ ବ୍ୟାଙ୍କ ଏବଂ ଏଟିଏମ ଲୁଟ କରିବାକୁ ଯୋଜନା କରିଥିବା ସ୍ବୀକାର କରିଛନ୍ତି ବୋଲି କହିଛନ୍ତି ଆଇଆଇସି ଶ୍ରୀ ସେଠୀ । ଏସ୍ଆଇ ଦିବ୍ୟରଞ୍ଜନ ପଣ୍ଡା ଏହି ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି 6 ଜଣ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।