You are currently viewing ଧର୍ମାନୁଷ୍ଠାନରୁ ହଟିଲା କଟକଣା, ଏଣିକି ଆଉ ଦରକାର ପଡ଼ିବନି କୋଭିଡ ସାର୍ଟିଫିକେଟ

ଧର୍ମାନୁଷ୍ଠାନରୁ ହଟିଲା କଟକଣା, ଏଣିକି ଆଉ ଦରକାର ପଡ଼ିବନି କୋଭିଡ ସାର୍ଟିଫିକେଟ

ଭୁବନେଶ୍ୱର(ଏଏନଏସ)୨୪/୦୨, ରାଜଧାନୀର ଧର୍ମାନୁଷ୍ଠାନରୁ ହଟିଲା କଟକଣା। ଏଣିକି ମନ୍ଦିରରେ ପ୍ରବେଶ ପାଇଁ ଆଉ ଦରକାର ପଡିବନି କରୋନା ସାର୍ଟିଫିକେଟ। ବିନା ପ୍ରମାଣପତ୍ରରେ ଧାର୍ମିକ ଅନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ ସାମ୍ପ୍ରତିକ କୋଭିଡ ଓ ଟିକାକରଣର ସ୍ଥିତିକୁ ଧ୍ୟାନରେ ରଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ଟିକାକରଣ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଅନୁମତି ରହିଥିଲା। କିନ୍ତୁ ଆଜି ଏହାକୁ ସଂଶୋଧନ କରାଯାଇଛି। ରାଜଧାନୀର ଯେକୌଣସି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପୂଜାର୍ଚ୍ଚନା ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଉ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଓ ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ। ସେହିପରି ପୂଜାରୀ ଓ ସେବାୟତମାନେ ମଧ୍ୟ ଦୁଇ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ ନୁହେଁ। କିନ୍ତୁ ମନ୍ଦିର ଭିତରେ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବିଏମସି ପରାମର୍ଶ ଦେଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।