You are currently viewing ଆସିଲେନି ଶ୍ରଦ୍ଧାଳୁ ,ବଳିଲା ଅବଢ଼ା

ଆସିଲେନି ଶ୍ରଦ୍ଧାଳୁ ,ବଳିଲା ଅବଢ଼ା

ପୁରୀ-୧୫.୦୭.୨୦୨୧, ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ନେବାକୁ ବୁଧବାର ଭକ୍ତ ଆସି ନଥିଲେ । ପ୍ରଭୁଙ୍କ ରଥଯାତ୍ରା ଦର୍ଶନରେ ପ୍ରଶାସନିକ ପକ୍ଷପାତ ନେଇ ସହରବାସୀ ଅଭିମାନ କରିବା ଭଳି ମନେ ହେଉଛି । ଦିନତମାମ ସୁପକାର ନିଯୋଗ ଷ୍ଟଲରେ ମାତ୍ର ୪ ଶହ ଲୋକ ଟୋକନ ନେଇ ଅବଢ଼ା କିଣିଥିଲେ । ୫ ହଜାର ଲୋକଙ୍କ ପାଇଁ ଆଜି ଆଡପ ଅବଢ଼ା ହୋଇଥିଲା । ବାକି ସାଢ଼େ ଚାରି ହଜାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆଡପ ଅବଢ଼ାକୁ ନେଇ ସୁଆର ମହାସୁଆର ନିଯୋଗ ପ୍ରଶାସନ ସହ ଆଲୋଚନା କରିଥିଲା ।ବଳି ପଡିଥିବା ଅବଢ଼ାକୁ ବାଣ୍ଟିବାକୁ ନିଯୋଗ ପ୍ରଶାସନର ସହଯୋଗ ଲୋଡ଼ିଥିଲା । ରଥଯାତ୍ରା ଡ୍ୟୁଟିରେ ବାହାରୁ ଆସିଥିବା ପୁଲିସ ଫୋର୍ସ କ୍ୟାମ୍ପ, ଅଫିସର, ସରକାରୀ କର୍ମଚାରୀଙ୍କୁ ଏହି ଅବଢ଼ା ବଣ୍ଟା ଯାଇଥିଲା । ଆଉ କିଛି ଅବଢ଼ାକୁ ବିଭିନ୍ନ ସେବାଶ୍ରମରେ ଦିଆଯାଇଥିଲା । ତଥାପି ଅବଢ଼ା ବଳିବାରୁ ସାହିବସ୍ତିରେ ବଣ୍ଟା ଯାଇଥିଲା । ପ୍ରଥମ ଭୋଗ ମଣ୍ଡପ ଅବଢ଼ା ବଳି ପଡିବାରୁ ନିଯୋଗ ନିଷ୍ପତ୍ତି କ୍ରମେ ଦ୍ୱିତୀୟ ଭୋଗ ମଣ୍ଡପକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା ।

ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ନିଯୋଗ କର୍ମକର୍ତ୍ତାମାନେ ଆଲୋଚନା କରିଛନ୍ତି । ପ୍ରଚାର ପ୍ରସାର ଏବଂ ପ୍ରଶାସନର କଟକଣା କୋହଳ ନହେଲେ ବିକ୍ରି ହ୍ରାସ ପାଇବ ବୋଲି ନିଯୋଗ ମତ
ଦେବା ପରେ ଆଜି ତିନି ହଜାରରୁ କମ ଲୋକଙ୍କ ପାଇଁ ଆଡ଼ପ ଅବଢ଼ା ବାହାର କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି । ନିଯୋଗ ନିବେଦନ କରିଛି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ସହରରେ ମିଳୁଛି । ଗୁଣ୍ଡିଚା ମନ୍ଦିରକୁ ଲାଗି ରହିଥିବା ନୃସିଂହ ମନ୍ଦିର ସାମ୍ନା ଏବଂ ପୁରୀ ବସଷ୍ଟାଣ୍ଡ ନିକଟରେ ନିଯୋଗର ଷ୍ଟଲ ଖୋଲିଛି । ସହରବାସୀ ପ୍ରଭୁଙ୍କ ଆଡ଼ପ ଅବଢ଼ା ନେବାକୁ ନିଯୋଗ ନିବେଦନ କରିଛି । ବୁଧବାର ଅବଢ଼ା ବିକ୍ରିରେ ଅଢ଼େଇ ଲକ୍ଷ ଟଙ୍କା ଘାଟା ହୋଇଥିବାରୁ ଗୁରୁବାରଠାରୁ ଜଗି ରଖି ଲୋକଙ୍କ ଆଗ୍ରହ ଦେଖି ମହାପ୍ରସାଦ ପ୍ରସ୍ତୁତ କରିବାକୁ ନିଯୋଗ କହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।