You are currently viewing ଆଗାମୀ ତିନି ଦିନ ଯାଏ ଜାରି ରହିବ ବର୍ଷା

ଆଗାମୀ ତିନି ଦିନ ଯାଏ ଜାରି ରହିବ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୦/୦୮,ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଅହରହ ବର୍ଷା ଚାଲିଛି । ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ଫୁଲିଲାଣି ନଦୀ ନାଳ । ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଓଡ଼ିଶା ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଛତିଶଗଡ଼ ମୁହାଁ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଭୀଷଣ ବର୍ଷା ହେଉଛି । ଆଗାମୀ ତିନି ଦିନ ଯାଏ ଜାରି ରହିବ ବର୍ଷା । ଆଜି ପଶ୍ଚିମର କିଛି ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ବରଗଡ଼, ସମ୍ବଲପୁର, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍‌ ଆଲର୍ଟ ରହିଛି । ସେହିପରି ଆଜି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ସେହିପରି ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ହୋଇପାରେ । ତଥାପି ୧୧ ଓ ୧୨ ତାରିଖ ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ଛତିଶଗଡ଼ ପହଞ୍ଚିବା ବେଳକୁ ଅବପାତ ଦୁର୍ବଳ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ସେପଟେ ଆସନ୍ତା ୧୩ ଓ ୧୮ ତାରିଖ ବେଳକୁ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‌ ଆକଳନ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।