You are currently viewing ହେମାନନ୍ଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର, ଭିଟାମାଟିରେ ହେବ ଶେଷକୃତ୍ୟ

ହେମାନନ୍ଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର, ଭିଟାମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର(ଏଏନଏସ)୨୬/୦୨, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରପଡାଠାରେ ସ୍ୱର୍ଗତ ବିଶ୍ୱାଳଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏସମ୍ପର୍କରେ ସ୍ୱର୍ଗତ ବିଶ୍ୱାଳଙ୍କ ପରିବାର ସୂତ୍ରରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ଦେହାନ୍ତ ପରେ ହେମାନନ୍ଦ ବିଶ୍ୱାଳଙ୍କ ମରଶରୀରକୁ ୮ ନମ୍ବରରେ ଥିବା ତାଙ୍କର ବାସଭବନକୁ ଅଣାଯାଇଥିଲା । ଆଜି ସକାଳୁ ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଭିଡ କରିଥିବା ଦେଖାଦେଇଥିଲା । ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂ ମର୍ଦ୍ଦରାଜଙ୍କ ସମେତ ଅନେକ କଂଗ୍ରେସ ନେତା ତାଙ୍କର ପ୍ରିୟ ହେମାନନ୍ଦ ବିଶ୍ୱାଳଙ୍କ ମରଶରୀର ଉପରେ ପୁଷ୍ପ ଗୁଚ୍ଛ ଅର୍ପଣ କରି ସମ୍ମାନ ଜଣାଇଥିଲେ । ଏହାପରେ ହେମାନନ୍ଦ ବାବୁଙ୍କ ମରଶରୀରକୁ ଶୋଭାଯାତ୍ରାରେ କଂଗ୍ରେସ ଭବନକୁ ନିଆଯାଇଥିଲା । ସେଠାରେ କଂଗ୍ରେସ କର୍ମୀମାନେ ଶେଷ ଦର୍ଶନ କରିବା ପରେ ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ବିଧାନସଭା ପରିସରରେ ବିଶ୍ୱାଳଙ୍କ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।