You are currently viewing ବାତ୍ୟା ‘ମିଗ୍‌ଜୋମ’ର ପ୍ରଭାବ: ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 

ବାତ୍ୟା ‘ମିଗ୍‌ଜୋମ’ର ପ୍ରଭାବ: ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 

ଭୁବନେଶ୍ୱର: ବାତ୍ୟା ‘ମିଗ୍‌ଜୋମ’ର ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବୋହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ସମୟରେ ବର୍ଷାକୁ ଦେଖି ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। ବିଲରେ କଟାଯାଇଥିବା ଧାନକୁ ଖଳାକୁ ନେଇ ଆସୁଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଜି ଦକ୍ଷିଣ ଉପକୂଳ ଓଡ଼ିଶା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ପୁରୀ, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ।

ସେହିପରି ଆସନ୍ତାକାଲି ଅର୍ଥାତ  ବୁଧବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦେଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । କଚ୍ଚା ଘରେ ନ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅମଳ ହୋଇଥିବା ଧାନ, ପନିପରିବା, ମିଲେଟ୍ସ, କପା ଓ ଅନ୍ୟାନ୍ୟ ଫସଲକୁ ଘରକୁ ନେଇ ଯିବାକୁ କୁହାଯାଇଛି । ପରିପରିବା ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେପଟେ ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ଧାନ ଅମଳ ବେଳ ଚାଲିଛି । ଚାଷୀ ଧାନ କାଟି ବିଲ ଓ ଖଳାରେ ପକାଇଛି । ବାତ୍ୟାକୁ ଦେଖି ତରତର ହୋଇ ଚାଷ ଜମିରୁ କଟା ହୋଇଥିବା ଧାନକୁ ଘରକୁ ନେଇ ଆସୁଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।