heatwave

କଲବଲ କରୁଛି ଗୁଳୁଗୁଳି : ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ହିଟୱେଭ ଜାରି

ଏଏନଏସ: ଓଡିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ହିଟୱେଭ। ଉପକୂଳ ଓଡିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ହିଟୱେଭ ଜାରି ରହିବା ନେଇ ସୂଚନା। ବଲାଙ୍ଗୀର ଓ ବରଗଡ଼ରେ ଅରେଞ୍ଜ ୱାର୍ଣ୍ଣିଂ ସହ କଳାହାଣ୍ଡି, ନୂଆପଡ଼ା ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ସହରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ବରଗଡ଼ ୪୫.୮ ଡିଗ୍ରୀ , ବଲାଙ୍ଗୀର ୪୫.୫ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ୧୨ ସହରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଜଣାପଡିଛି।

ସୂଚନାଥାଉ କି, ଗତ ଦୁଇ ଦିନ ଭିତରେ ସୁନ୍ଦରଗଡ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି। ମେଡିକାଲ ରିପୋର୍ଟ ଅନୁଯାଇ 6 ବ୍ୟକ୍ତିଙ୍କ ଜୀବନ ଅଂଶୁଘାତ ଯୋଗୁ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଆଜି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ଅନୁଗୁଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ଗଞ୍ଜାମ, ଗଜପତି ଓ ନୂଆପଡ଼ାର କିଛି କିଛି ସ୍ଥାନରେ ଆଜି ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ।ଏହାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।