You are currently viewing ଜୟନାରାୟଣ ମିଶ୍ରଙ୍କୁ  ନୂଆ ଦାୟିତ୍ୱ

ଜୟନାରାୟଣ ମିଶ୍ରଙ୍କୁ ନୂଆ ଦାୟିତ୍ୱ

  • Post category:ଓଡିଶା
  • Reading time:1 mins read

ଅସୁସ୍ଥତା ପାଇଁ ବର୍ଷାଧିକ କାଳ ଧରି ବିଧାନସଭାରେ ପ୍ରଦୀପ୍ତ ନାୟକଙ୍କ ଅନୁପସ୍ଥିତିରୁ ଏକପ୍ରକାର ନେତାଶୂନ୍ୟ ହୋଇପଡ଼ିଥିବା ବିଜେପି ଶେଷରେ ଜୟନାରାୟଣ ମିଶ୍ରଙ୍କୁ ଏଇ ନୂଆ ଦାୟିତ୍ୱ ଦେଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋଦ୍ ଜୟନାରାୟଣ ଓ ରାଜ୍ୟ ବିଜେପି ମୁଖିଆଙ୍କ ଉପସ୍ଥିତିରେ ସହପ୍ରଭାରୀ ବିଜୟ ସିଂହ ତୋମାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଜୟନାରାୟଣଙ୍କୁ ସର୍ବସମ୍ମତି କ୍ରମେ ବିରୋଧୀ ବିଧାୟକ ଦଳ ନେତା ମନୋନୀତ କରାଯାଇଛି। ନେତା ଘୋଷଣା ପରେ ପରେ ଦେଖାଦେଇଛି ଖୁସିର ମାହୋଲ୍। ଜୟନାରାୟଣଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ସେଲିବ୍ରେସନ୍‌।ଚାରି ଚାରିଥରର ବିଧାୟକ, ଗୃହରେ ଡେପୁଟି ଚିଫ୍ ହ୍ୱିପ୍, ବିଜେଡି-ବିଜେପି ମେଣ୍ଟ ସରକାର ସମୟର ପୂର୍ଣ୍ଣକାଳୀନ ମନ୍ତ୍ରୀ ଭାବେ ବିଧାନସଭାରେ ଜୟନାରାୟଣଙ୍କର ରହିଛି ଢେର ଅଭିଜ୍ଞତା। ଏହା ସାଙ୍ଗକୁ ବି ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବାର କ୍ଷମତା ରଖୁଥିବା ଏବଂ ସରକାରଙ୍କ ପ୍ରତି ସବୁ ସମୟରେ କଟ୍ଟର ବିରୋଧୀ ଆଭିମୁଖ୍ୟ ରଖୁଥିବା ନେତାଭାବେ ବି ଜୟନାରାୟଣଙ୍କ ବେଶ୍ ପରିଚିତ। ତେଣୁ ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ବଦଳୁଥିବା ରାଜନୈତିକ ପାଣିପାଗର ସଂକେତ ସ୍ୱରୂପ ଜୟନାରାୟଣଙ୍କୁ ବିଧାନସଭାରେ ଦଳର ନେତା ଭାବେ ସାମ୍ନାକୁ ଆଣିଛି ବିଜେପି।୨୦୧୯ରେ ପ୍ରଥମଥର ପାଇଁ କଂଗ୍ରେସକୁ ପଛକୁ ଠେଲି ବିଜେପି ଯେତେବେଳେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଲା ନେତା ନିର୍ବାଚନ ବେଳେ ସେତେବେଳେ ବି ଜୟନାରାୟଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ୨୪ ନିର୍ବାଚନ ପାଖଉଥିଲା ବେଳେ ଏବେ ଜୟନାରାୟଣଙ୍କୁ ସେହି ଦାୟିତ୍ୱ ଦେଇ ବିଜେପି ନୂଆ ସମୀକରଣର ସଂକେତ ଦେଇଥିବା ଆଲୋଚନା ହେଉଛି।ବିଧାୟକ ପ୍ରଦୀପ୍ତ ନାୟକଙ୍କ ପାଖରେ ଥିବା ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି ଅଧ୍ୟକ୍ଷ ପଦ ଏବେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପାଖକୁ ଯାଇଛି। ତେବେ ବିରୋଧୀ ଦଳ ନେତା ଦାୟିତ୍ୱ ପାଇବା ପରେ ଜୟନାରାୟଣଙ୍କ ପାଖରେ ଏବେ ଅନେକ ଚ୍ୟାଲେଞ୍ଜ୍‌। ସେ ଭିତରୁ ଦଳ ଭିତରେ ସମନ୍ୱୟ ରକ୍ଷା କରିବା, ନବୀନ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖକୁ ନେବା ଏବଂ ବିଧାନସଭାରେ ଦଳର ସ୍ୱରକୁ ଶାଣିତ କରିବା ସବୁଠୁ ବଡ଼ ଆହ୍ୱାନ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।

ଅନ୍ୟମାନଙ୍କୁ ଜଣାନ୍ତୁ।