You are currently viewing ଆଜିଠୁ ଖୁଦୁରୁକୁଣୀ ଓଷା, ଭାଇଙ୍କ ଶୁଭ ମନାସି ଓଷା କରିଥାନ୍ତି ଭଉଣୀ

ଆଜିଠୁ ଖୁଦୁରୁକୁଣୀ ଓଷା, ଭାଇଙ୍କ ଶୁଭ ମନାସି ଓଷା କରିଥାନ୍ତି ଭଉଣୀ

ପର୍ବପର୍ବାଣୀ ଭାରତୀୟ ସଂସ୍କୃତିର ଏକ ବଡ ଅଂଶ । ସେହି ପରି ଓଡିଶାରେ ମଧ୍ୟ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଇଥାଏ । ଓଡିଶା ଏହାର ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ବରେ ଜଣାଶୁଣା । କୁହାଯାଏ ଯେ, ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପୂର୍ବ କାଳରୁ ଚାଲିଆସୁଥିବା ଏହି ସଂସ୍କୃତି ଓ ପରମ୍ପରାକୁ ଲୋକମାନେ ସମ୍ମାନ ଜଣାଇବା ସହ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।ତେବେ ଓଡିଶାର ପର୍ବ ପର୍ବାଣୀମାନଙ୍କ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ ।

ଯାହାକୁ ଭାଲୁକୁଣୀ ଓଷା ବୋଲି ମଧ୍ୟ କୁହାଯାଏ । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଏହି ଓଷା ପାଳନ କରାଯାଇଥାଏ । ଭାଇମାନଙ୍କ ଶୁଭ ମନାସି ଝିଅମାନେ ଏହି ଓଷା କରିଥାନ୍ତି । ନିଜ ଭାଇମାନଙ୍କ ସୁରକ୍ଷା, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଙ୍ଗଳାଙ୍କ ନିକଟରେ ଗୁହାରି କରିଥାନ୍ତି ଭଉଣୀ| ଏହା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର ପବିତ୍ରତା ଏବଂ ଉତ୍କର୍ଷତାକୁ ଦର୍ଶାଇଥାଏ |ସାଧବ ସାତ ଭାଇ ଯେତେବେଳେ ଦରିଆ ପାରିକୁ ବଣିଜ କରିବାକୁ ଯାଇଥିଲେ ସେମାନଙ୍କ ଶୁଭ ମନାସୀ ଏକମାତ୍ର ଅଲିଅଳି ଭଉଣୀ ତଅପୋଇ ସେମାନଙ୍କ ଲାଗି ମା’ ମଙ୍ଗଳାଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରିଥିଲେ । ସେହି ପରମ୍ପରାକୁ ବଜାୟ ରଖି ପ୍ରତିଟି ଓଡ଼ିଆ ଘରର ଝିଅ ଏହି ଓଷା କରିଆସୁଛନ୍ତି । କରୋନା କଟକଣା ପାଇଁ ନିରାଡମ୍ବରରେ ଦୁଇ ବର୍ଷ ହେବ ଏହି ଓଷା ପାଳନ କରାଯାଉଛି ।
ରବିବାର ଓଷାରେ ସକାଳୁ ଝିଅମାନେ ଏକାଠି ହୋଇ ଭୋର୍‌ରୁ ଫୁଲ ତୋଳନ୍ତି । ଏକାଠି ହୋଇ ମା’ଙ୍କ ପାଇଁ ଫୁଲମାଳ ତିଆରି କରନ୍ତି । ପରେ ପୋଖରୀରେ ବାଲୁକା ପୂଜା କରିଥାନ୍ତି ।

ଏହାପରେ ଭଗବତ ଘରେ ମେଳି ହୋଇ ମା ମଙ୍ଗଳାଙ୍କ ପୂଜା କରିଥାନ୍ତି । ସେଠାରେ ରବିବାର ଦିନରେ ଓ ସନ୍ଧ୍ୟାରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଇଥାଏ। । ୫ ପାଳି ପରେ ଭାଦ୍ରବ ମାସର ଶେଷ ରବିବାର ଦିନ ଏହି ବ୍ରତ ଶେଷ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।