You are currently viewing ରାଜ୍ୟରେ ସାର ଅଭାବ, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସାର ଅଭାବ, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-୩୧.୦୭.୨୦୨୧,ସାର ଅଭାବ ନେଇ କେନ୍ଦ୍ର ସାର ଓ ରାସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ, ଜୁନ ଓ ଜୁଲାଇ ମାସରେ ରାଜ୍ୟକୁ ଯେତେ ସାର ମିଳିବା କଥା, ସେତିକି ମିଳି ନାହିଁ । ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବା ପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟାଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ନବୀନ । ଖରିଫ ଋତୁ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୩୧ ହଜାର ୫୩୦ ଟନ୍ ୟୁରିଆ ସାର ଆବଣ୍ଟିତ ହୋଇଛି, କିନ୍ତୁ ମିଳିଛି ମାତ୍ର ୧ ଲକ୍ଷ ୪୫ ହଜାର ୧୪୫ ଟନ୍ ସାର । ବର୍ତ୍ତମାନ ସମୟ ମଧ୍ୟରେ ଓଡ଼ିଶାକୁ ମାତ୍ର ୯୭ ହଜାର ୭୬୩ ଟନ୍‌ ସାର ମିଳିଛି । ଏନ୍‌ପିକେଏସ୍‌ ଓ ଅନ୍ୟ ସାର ମଧ୍ୟ କମ୍ ମିଳିଛି । ଏହି କାରଣରୁ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆବଶ୍ୟକ ଚାହିଦାର ମାତ୍ର ୬୨ ପ୍ରତିଶତ ୟୁରିଆ କେନ୍ଦ୍ର ଦେଇଛି । ଅନ୍ୟ ସାର ମାତ୍ର ୬୦ରୁ ୭୪ ପ୍ରତିଶତ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି । ବାତ୍ୟା ୟାସ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ପାଦନ ବଢ଼ାଇବା ପାଇଁ ଚାଷୀଙ୍କୁ ସାରର ଆବଶ୍ୟକ ରହିଛି । କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଚିଠିରେ ଲେଖିଛନ୍ତି ନବୀନ ।
ଏ ନେଇ ରାଜ୍ୟକୁ ଉପଯୁକ୍ତ ପରିମାଣର ସାର ଯୋଗାଇ ଦେବା ଦାବିରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ । ଏହା ସହିତ ରାଜ୍ୟର କୋଟା ଅନୁସାରେ ସାର ଯୋଗାଇ ଦେବା ପାଇଁ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଖରିଫ ଚାଷ ପାଇଁ ରାଜ୍ୟକୁ କମ ସାର ଯୋଗାଇ ଦିଆଯାଇଥିବା ଯୋଗୁଁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆଯିବାକୁ ଦାବି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।