You are currently viewing ଗୀତିକାର ବିନୋଦିନୀ ଦେବୀଙ୍କ ଦେହାନ୍ତ

ଗୀତିକାର ବିନୋଦିନୀ ଦେବୀଙ୍କ ଦେହାନ୍ତ

ଭୁବନେଶ୍ଵର (ଏଏନ୍ଏସ): ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବହୁଦିନ ହେଲା ସେ ମସ୍ତିଷ୍କାଘାତର ଶିକାର ହୋଇ ଶଯ୍ୟାଶାୟୀ ଥିଲେ। ଅନୁଗୁଳଠାରେ ସାନ ପୁଅଙ୍କ ପାଖରେ ରହି ସେ ଚିକିତ୍ସିତ ହେଉଥିଲେ। ମଲାଜହ୍ନ, ତଅପୋଇ, ଅସ୍ତରାଗ, ମୁଁ ତୁମେ ଓ ସେ, ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ ଚଳଚ୍ଚିତ୍ର ପାଇଁ ସେ ଗୀତ ଲେଖିଥିଲେ। ଏହା ସହ ସେ ଆଧୁନିକ ଓ ଶିଶୁ ଗୀତର ଗୀତିକାର ମଧ୍ୟ ଥିଲେ। ତାଙ୍କ ରଚିତ ସିନେମା ଗୀତ ଗୁଡିକ ମଧ୍ୟରେ ରକତ ଟଳମଳ ଖଇର ପାଞ୍ଚପଳ (ମଲାଜହ୍ନ), କାଳିଆ ଆସିବା ଭାଇ କାଳିଆ ଆସିଲା ଓ ସେ ତ ଭକତ ଭାବରେ ବନ୍ଧା ( ଶ୍ରୀଜଗନ୍ନାଥ), ନିରିମାଖୀ କୁଆଁରୀ ମୁଁ (ତଅପୋଇ), ନଟ ହେ ମଞ୍ଜି ପୋତିଲ (ଜୟ ଜଗନ୍ନାଥ) ଖୁବ୍ ଲୋକପ୍ରିୟ ହୋଇଥିଲା।

କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ତାଙ୍କୁ ପ୍ରଥମେ ମଲାଜହ୍ନ ଓ ପରେ ଅନ୍ୟାନ୍ୟ ଫିଲ୍ମ ପାଇଁ ଗୀତ ଲେଖିବାକୁ ସୁଯୋଗ ଦେଇଥିଲେ। ବିନୋଦିନୀ ଦେବୀ କଟକ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ ଗୀତିକାର ଥିଲେ। ତାଙ୍କ ରଚିତ ଶିଶୁଗୀତି ସଂକଳନ ‘ଖୋକାଟିଏ ଖୋକୀଟିଏ’ ଓ ‘ଟିକି ଟିକି ନାଲି କାଇଁଚ’, ଭକ୍ତଗୀତି ସଂକଳନ ‘ ଅମୃତା’ ଏବଂ ଆଧୁନିକ ଗୀତ ସଂକଳନ‘ ଏଇ କଳା ମୋ କଳଙ୍କ’ ଖୁବ୍ ଚର୍ଚ୍ଚିତ । ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆଠାରେ ବିନୋଦିନୀଙ୍କର ଜନ୍ମ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।