You are currently viewing ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ-୦୭.୦୭.୨୦୨୧(ଅନନ୍ତ ସିଂ), ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି । ରଥଯାତ୍ରା ସହ ସଂପୃକ୍ତ ସମସ୍ତଙ୍କ କରୋନା ପରୀକ୍ଷା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ସିଂହଦ୍ବାର ଓ ଗୁଣ୍ଡିଚା ମନ୍ଦିର ନିକଟ ବ୍ୟତୀତ ବଡଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି । ଜଳ ଯୋଗାଣ ନିମନ୍ତେ ବଡଦାଣ୍ତ ଉଭୟ ପାର୍ଶ୍ବରେ ୧୨୦ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ କାର୍ଯ୍ୟକ୍ଷମ ରହିଛି । ସେହିଭଳି ରଥ ଟାଣିବା ବେଳେ ବଡଦାଣ୍ତରେ ଖରା ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ସିଞ୍ଚନ, ସେବାୟତ ଓ ସଂପୃକ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବଡଦାଣ୍ତର ୧୦ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରତିଷ୍ଠା କରାଯିବ । ଏଥିସହ ବଡଦାଣ୍ଡକୁ ସଂଲଗ୍ନ କରୁଥିବା ୭୨ ଟି ଗଳିରେ ସଫେଇ କାର୍ଯ୍ୟ ପ୍ରତି ନଜର ରଖିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଗୁଣ୍ତିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ବତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସରୋଜ ମିଶ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।