You are currently viewing ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା, ୨୫ରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା, ୨୫ରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଏଏନଏସ)୨୨.୦୧.୨୦୨୨,  ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତକାଲିଠାରୁ ସରିଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସୋମବାରଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି।  ମୋଟ ୨ଲକ୍ଷ ୨୮ହଜାର ୦୭୯ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି  ଶେଷଦିନରେ ମୋଟ ୯୪,୬୦୫ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶେଷ ଦିନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୧୯୧, ସମିତିସଭ୍ୟ ପାଇଁ ୧୨,୫୧୨ ଜଣ, ସରପଞ୍ଚ ପାଇଁ ୧୪,୦୭୪ଜଣ ଏବଂ ୱାର୍ଡମେମ୍ବର ପାଇଁ ୬୫,୮୨୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।  ଏହାକୁ ମିଶାଇ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩୯୯୯ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସରପଞ୍ଚ ପାଇଁ ୩୪,୬୧୩ଜଣ, ସମିତିସଭ୍ୟ ପାଇଁ ୨୮,୧୫୩ ଏବଂ ୱାର୍ଡମେମ୍ବର ୧ ଲକ୍ଷ ୬୨ ହଜାର ୨୯୭ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।
ନାମାନଙ୍କ ପତ୍ର ଦାଖଲ ଶେଷ ହୋଇଥିବାବେଳେ  ଆଜି ନାମାଙ୍କନ ପତ୍ର ଯାଂଚ ହେବ ।  ୨୫ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ ।  ୨୫ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସହ ପ୍ରାର୍ଥୀଙ୍କୁ ମିଳିଯିବ ନିର୍ବାଚନୀ ଚିହ୍ନ । ଚିହ୍ନ ମିିଳିବା ପରେ ଆରମ୍ଭ ହେବ ଅସଲ ଲଢ଼େଇ ।
ନିର୍ବାଚନ ନେଇ ଏବେ ଗଳିକନ୍ଦିରେ ଆରମ୍ଭ ହୋଇଯାଇଛି ମୂଲଚାଲ ।  ବିଭିନ୍ନ ଜୋନ୍‌ ଓ ପଞ୍ଚାୟତରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିର୍ବାଚନ ଦୌଡ଼ରୁ ଓହରିଯିବା ପାଇଁ  ବୁଝାଇବାକୁ ବିଭିନ୍ନ ଗୋଷ୍ଠୀ ଲାଗି ପଡ଼ିଛନ୍ତି ।
ସୂଚନାଯୋଗ୍ୟ ଯେ, ଚଳିତଥର ତ୍ରିସ୍ତରୀୟ  ପଞ୍ଚାୟତ ଭୋଟରେ ୨ କୋଟି ୭୯ଲକ୍ଷ ୩୫ହଜାର ୫୨୦ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ୯୧ ହଜାର ୯୧୩ ୱାର୍ଡ ମେମ୍ବର ପଦବୀ, ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତିସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ ହେବ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ମଧ୍ୟରେ ନିର୍ବାଚନ ଓ ପ୍ରଚାର ଅନୁଷ୍ଠିତ ହେବ । ଏଥର ନିର୍ବାଚନରେ ସଭା, ସମାବେଶ, ଶୋଭାଯାତ୍ରା, ସାଇକେଲ ଓ ବାଇକ୍‌ ରାଲିକୁ ବାରଣ କରାଯାଇଛି । ରାଜନୈତିକ ଦଳ କିମ୍ୱା ପ୍ରାର୍ଥୀଙ୍କ ସମାବେଶ ମଧ୍ୟ ମନା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।