You are currently viewing ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍‌; ଫେବୃଆରୀ ୧୬ରୁ ମତଦାନ

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍‌; ଫେବୃଆରୀ ୧୬ରୁ ମତଦାନ

ଭୁବନେଶ୍ୱର(ଏଏନଏସ)୧୧.୦୧.୨୦୨୨, ବାଜିଲା ବିଗୁଲ୍‌ । ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପ୍ରେସ୍‌ମିଟ୍‌ ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ୧୬,୧୮,୨୦,୨୨,୨୪ ତାରିଖରେ ଭୋଟ ଗ୍ରହଣ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଚଳିତ ବର୍ଷ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ। ଭୋଟ୍ ଗ୍ରହଣ ସରିଲେ ପ୍ରତି ବ୍ଲକରେ ହେବ ଭୋଟ୍ ଗଣତି। ଏଥିପାଇଁ ଆଜି ଠାରୁ ଫେବୃଆରୀ ୨୮ ଯାଏଁ ସମଗ୍ର ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି।


ତେବେ ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନର ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ନିର୍ବାଚନରେ ପଦଯାତ୍ରା, ବାଇକ୍‌ ରାଲି, ପ୍ରଚାର ସମାବେଶକୁ ବାରଣ କରାଯାଇଛି । ଡିଜିଟାଲ ଓ ଭର୍ଚୁଆଲ ମିଡିଆରେ ପ୍ରଚାର କରିବେ ପ୍ରାର୍ଥୀ । ସର୍ବାଧିକ ୫ ଜଣ ସର୍ମଥକଙ୍କୁ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିପାରିବେ। ଏହାସହ ବିଜୟ ଶୋଭାଯାତ୍ରାକୁ ମଧ୍ୟ ମନା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।