You are currently viewing ପେଟ୍ରୋଲ-ଡିଜେଲ ଉପରେ ଲାଗିବ GST

ପେଟ୍ରୋଲ-ଡିଜେଲ ଉପରେ ଲାଗିବ GST

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୬/୦୨, ଲୋକଙ୍କର ଅତ୍ୟାବଶ୍ୟକ ସାମଗୀ ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ବିଚାର କରୁଛନ୍ତି । ଏଥିପାଇଁ ତୈଳ ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ କରିବାକୁ ଯୋଜନା ଚାଲିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନକୁ ଆଣିବା ପାଇଁ ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ । ଏ କ୍ଷେତ୍ରରେ ଯଦି ରାଜ୍ୟମାନେ ସହମତି ପ୍ରକାଶ କରନ୍ତି ତେବେ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରକୁ ଆଣିବେ । ଆସନ୍ତା ୧୮ ତାରିଖରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ତା’ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ତରଫରୁ ଏହି ବୟାନ ଆସିଥିବା ଜଣାପଡ଼ିଛି । ଶିଳ୍ପ ସଂଗଠନ ପିଏଚଡି ଚାମ୍ପର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚଡିସିସିଆଇ) ପକ୍ଷରୁ ଆୟୋଜିତ ଏକ ବୈଠକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜନସାଧାରଣଙ୍କ ଖର୍ଚ୍ଚ ବଢ଼ାଇବାକୁ ଗତ କିଛିବର୍ଷ ଧରି କେନ୍ଦ୍ର ସରକାର ପ୍ରୟାସ କରିଆସୁଛନ୍ତି । ଏନେଇ ଗତ ତିନି ଚାରିବର୍ଷ ଧରି ଜନତାଙ୍କ ପୁଞ୍ଜି ବ୍ୟୟ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହାକୁ ଗତ ବଜେଟରେ ମଧ୍ୟ ସ୍ଥାନ ଦିଆଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟରେ ପୁଞ୍ଜି ବ୍ୟୟରେ ୩୩ ପ୍ରତିଶତ ବୃଦ୍ଧି କରାଯାଇ ୧୦ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତରେ ପହଞ୍ଚିଥିଲା । ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ସ୍ଥିର ହୋଇଥିବା ହାରଠାରୁ ଏହା ଅଧିକ ରହିଛି । ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହାର ହ୍ରାସ କରି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇପାରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।