You are currently viewing ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (ଏଏନ୍ଏସ୍): ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ତେବେ ଶ୍ରୀମତୀ ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ। ଗତକାଲି ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ ଭାବେ ବିଧିବଦ୍ଧ ଘୋଷଣା କରାଯାଇଥିଲା। ଯେହେତୁ ଆଉ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ଆସନ୍ତା ୨୨ ତାରିଖରୁ ହେବାକୁ ଥିବା ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିବେ।

ସୂଚନା ଯୋଗ୍ୟ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହେଲେଣି। ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୦ ମସିହାରୁ ଲଗାତାର ୫ ଥର ବିଞ୍ଝାରପୁରରୁ ନିର୍ବାଚିତ ହୋଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ୨୦୦୪ରୁ ୨୦୦୯ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ୨୦୦୯ରୁ ୨୦୧୧ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ୨୦୧୯ରୁ ୨୦୨୨ ଯାଏ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୨ ଜୁନ୍‌ ମାସରେ ସେ ନବୀନଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇ ରାଜସ୍ବ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।