You are currently viewing ସ୍ମାର୍ଟ ସିଟି ସ୍ମାର୍ଟ ରାସ୍ତା: ଏଠି ପାଦେ ପାଦେ ବିପଦ!

ସ୍ମାର୍ଟ ସିଟି ସ୍ମାର୍ଟ ରାସ୍ତା: ଏଠି ପାଦେ ପାଦେ ବିପଦ!

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଭୁବନେଶ୍ୱରକୁ ସ୍ମାର୍ଟ ସିଟି ବୋଲି ଡିଣ୍ଡିମ ପିଟା ଚାଲିଛି । ସହରର କେତେକ ଅଁଚଳରେ ରାସ୍ତାଘାଟ ଉନ୍ନତୀକରଣ ଏବଂ ସୋନ୍ଦର୍ଯ୍ୟୀକରଣରେ ଆଖିଦୃଶିଆ ଅର୍ଥ ଖର୍ଚ୍ଚ ହୋଇ ଚକାଚକ୍ ମଧ୍ୟ ହେଉଛି । କିନ୍ତୁ ସହର ବା ରାଜ୍ୟ ବାହାରୁ ଯଦି କୌଣସି ଲୋକ କେବେ ରସୁଲଗଡ଼ ଶିଳ୍ପାଁଚଳକୁ ଆସିବେ ଏବଂ ରାସ୍ତାଘାଟର ଦୁରବସ୍ଥା ଦେଖିବେ, କେବେ ବି ବିଶ୍ୱାସ କରିପାରିବେନି ଯେ ରାଜଧାନୀ ଭୁବନେଶ୍ୱରରେ ଏଭଳି ବିପର୍ଯ୍ୟସ୍ତ ଓ ବିପଦସଂକୁଳ ରାସ୍ତା ମଧ୍ୟ ଅଛି ।
ରାଜଧାନୀର ସବୁଠୁ ଖରାପ ଓ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ପାଲଟିଛି ରସୁଲଗଡ଼ ଶିଳ୍ପାଁଚଳ ରାସ୍ତା । ପିଚୁ ରାସ୍ତା କେଉଁଠି ବୋଲି ଖୋଜିଲେ ମିଳିବନି । ଯୁଆଡ଼େ ଅନେଇଲେ ଖାଲି ଖାଲ ଆଉ ଖାଲ । ପଶିଗଲେ ଲାଗୁଛି ଯେପରି କୌଣସି ଅନୁନ୍ନତ ପାହାଡ଼ିଆ ଅଁଚଳକୁ ପଶିଗଲା ଭଳି । ପଶିଲା ବେଳକୁ ପ୍ରାୟ ୨ ଫୁଟ୍ ଗଭୀର ଖାଲରେ ପଡ଼ି ପ୍ରାଣ ମଧ୍ୟ ଚାଲି ଯାଇପାରେ । ଯେତେ ଆଗକୁ ଗଡ଼ିବ ବିପଦ ସେତେ ବଢ଼ିବ । ଚାଲିକି ଯାଆନ୍ତୁ କି ବାଇକ୍‌ରେ ଜଣେ ଯେତେ ସତର୍କ ହୋଇ ଗଲେ ବି ଦୁର୍ଘଟଣା ହେବା ଥୟ । ଶିଳ୍ପାଁଚଳରେ ରାଜ୍ୟର ତିନିଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥା, ୨୦ରୁ ଅଧିକ ଶିଳ୍ପ ସଂସ୍ଥା ଏବଂ ଏସ୍‌ପ୍ଲାନେଡ୍ ମଲ୍‌ର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାର ଅବସ୍ଥା ଏଭଳିରେ ରହିଛି କେହି ନ ଦେଖିଲେ ବିଶ୍ୱାସ କରିପାରିବନି । ଦୁଇ ବର୍ଷରୁ ଅଧିକ ସମୟ ହେଲା ଖାଲଖମାରେ ଭର୍ତି ହୋଇଥିବା ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ବାରମ୍ବାର ଇଡ୍‌କୋ ନିକଟରେ ଅଭିଯୋଗ କରୁଥିଲେ ବି କିଛି ସୁଫଳ ମିଳୁନି । ଶିଳ୍ପ ସଂସ୍ଥାଗୁଡ଼ିକ ଇଡ୍‌କୋରୁ ଜମି ନେଇଥିବାରୁ କେହି ଖୁଲମଖୁଲା ପ୍ରତିବାଦ କରିପାରୁନାହାନ୍ତି । ଇଡ୍‌କୋ କର୍ତୃପକ୍ଷ ଏହାର ଦାୟିତ୍ୱ ଭାବି ସେହି ନ୍ୟାୟରେ ଏହି ରାସ୍ତା କଥା ସମସ୍ତେ ଭୁଲି ଯାଇଛନ୍ତି ।

ପ୍ରତିଦିନ ଭାରୀଯାନରୁ ଆରମ୍ଭ କରି ଶତାଧିକ ର୍କାର ବାଇକ୍ ଚଳାଚଳ କରୁଥିବା ଏହି ରାସ୍ତା ଏବେ ରାଜଧାନୀର ଅନ୍ୟତମ ଦୁର୍ଘଟଣାପ୍ରବଣ ରାସ୍ତା ପାଲଟିଛି । ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାଟିରେ ପ୍ରତି ପାଦେ ପାଦେ ବିପଦ । ରାସ୍ତାରେ ଅଧଫୁଟରୁ ଫୁଟେ ପର୍ଯ୍ୟନ୍ତ ଖାଲ ହୋଇଥିବା ବେଳେ ଖାଲରୁ ବର୍ତିବା ପାଇଁ ଯଦି କେହି ଗାଡ଼ି ବାମକୁ କି ଡାହାଣ ମୋଡୁଛି, ଗାଡ଼ି ଯାଇ ଆଉ କେଉଁ ଗାଡ଼ିରେ ମାଡ଼ ହେଉଛି । ନଚେତ୍ ଖାଲରେ ଗାଡ଼ି ପଡ଼ି ଚାଳକ ନିଜେ ତଳେ ପଡ଼ୁଛି । ଖାଲରେ ପଶିକି ଗଲେ ଦୁର୍ଘଟଣା, ଖାଲରେ ନ ପଡ଼ିବା ପାଇଁ ଗଲେ ବି ଦୁର୍ଘଟଣା । ପୂରା ଶିଳ୍ପାଁଚଳ ଖାଲରେ ଭର୍ତି ହୋଇଯାଇଛି । ଆଉ ଯଦି ବର୍ଷା ହେଲା, ଅବସ୍ଥା ଆହୁରି ସାଂଘାତିକ ହୋଇଯାଉଛି ।
କେବଳ ବିପର୍ଯ୍ୟସ୍ତ ରାସ୍ତା ନୁହେଁ; ଅଧା ଶିଳ୍ପାଞ୍ଚଳରେ ଅନ୍ଧାର ରାଜୁତି କରୁଛି । ଇଡ୍‌କୋ କର୍ତୃପକ୍ଷ ଆବଶ୍ୟକ ଷ୍ଟ୍ରିଟଲାଇଟ୍ ଲଗାଉ ନାହାନ୍ତି କି ବିଏମ୍‌ସି ଲାଇଟ୍ ଲଗାଉନି । ଫଳରେ ଏହି ଅଁଚଳରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି । କେତେବେଳେ କେଉଁ ଶିଳ୍ପ ସଂସ୍ଥାର ଗୋଦାମରୁ ଚୋରି ହୋଇଯାଉଛି ତ କେତେବେଳେ କର୍ମଚାରୀଙ୍କ ଗାଡ଼ି କାଚ ଭାଙ୍ଗି ଲୁଟ୍ ହେଉଛି । ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଏହି ଶିଳ୍ପାଁଚଳରେ ହୋଇଥିଲେ ବି ସେ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି । ଜିଲ୍ଲା ଶିଳ୍ପ କେନ୍ଦ୍ର ଭୁବନେଶ୍ୱରର ମହାପ୍ରବନ୍ଧକ ଦିଲ୍ଲୀପ ନାୟକ କହିଛନ୍ତି, ରସୁଲଗଡ଼ ଶିଳ୍ପାଞ୍ଚଳ ଇଡକୋ ଅଧୀନରେ ଆସୁଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଇଡ୍‌କୋ କରିବା କଥା । ଏଥିରେ ଆମର କୌଣସି ନିୟନ୍ତ୍ରଣ ନାହିଁ । ଶିଳ୍ପାଞ୍ଚଳରେ ଯେଉଁମାନେ ଶିଳ୍ପ କରିଛନ୍ତି, ସେମାନେ ଯଦି ଏ ସଂପର୍କରେ ଇଡକୋକୁ ଅଭିଯୋଗ କରନ୍ତେ, ତାହାଲେ ହୁଏତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରେ ବୋଲି ଶ୍ରୀ ନାୟକ କହିଛନ୍ତି ।

ଇଡ୍‌କୋ ତା’ କାମ କରୁନି କି ବିଏମ୍‌ସି ବି ତା’ର ମୂଳ କାମ କରୁନି । ଇଡ୍‌କୋ ଜମି ବିକିବା ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ବା ଏବେ ଦେଉଛି ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ଜଳଜଳ ଦିଶୁଛି । ଲୋକ ଯେପରି ମୌଳିକ ସୁବିଧା ସୁଯୋଗ ପାଇବେ ସେଥିପାଇଁ ଧ୍ୟାନ ଦେଉନି ବିଏମ୍‌ସି । ଫଳରେ ଏଠାରେ ବିପର୍ଯ୍ୟସ୍ତ ରାସ୍ତା, ମୁକୁଳା ଡ୍ରେନ୍‌, ବିନା ଲାଇଟ୍‌ରେ ବିଦ୍ୟୁତ ଖୁଣ୍ଟ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି । ଡ୍ରେନ୍ ଅଛି, କିନ୍ତୁ ସଫା ହେଉନି । ବର୍ଷା ହେଲା ବର୍ଷା ପାଣି ରାସ୍ତାରେ ଭାସୁଛି । ବିଏମ୍‌ସି ସାରା ରାଜଧାନୀରେ ଡ୍ରେନ୍ ସଫା କରୁଥିଲେ ବି ଏହି ଅଞ୍ଚଳରେ ଥରଟିଏ ଡ୍ରେନ୍ ସଫା କରିବାକୁ ଆସୁନି । ରସୁଲଗଡ଼ ଶିଳ୍ପାଞ୍ଚଳର ଶୋଚନୀୟ ରାସ୍ତା ସମ୍ପର୍କରେ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଯେତେବେଳେ ଅବଗତ କରାଗଲେ ମଧ୍ୟ ସମାନ ଉରର ମିଳୁଛି । ରାସ୍ତା ମରାମତି ପାଇଁ ବ୍ୟୟ ଅଟକଳ କରି ପଠାଯାଇଛି, ଅର୍ଥ ମିଳିଲେ କାମ ଆଗେଇବ ବୋଲି ଅଧିକାରୀମାନେ କହୁଛନ୍ତି ।

ଏ ସଂପର୍କରେ ଯୋଗାଯୋଗ କରାଯିବାରୁ ଇଡ୍‌କୋ ସିଜିଏମ୍ ଭକ୍ତକବି ଦାସ କହିଛନ୍ତି ଯେ ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ମରାମତି ପାଇଁ ଅର୍ଥ ବ୍ୟୟବରାଦ ହୋଇଛି । ବଡ଼ ଖାଲଗୁଡ଼ିକୁ କଂକ୍ରିଟ୍ ମରାମତି ଓ ଛୋଟ ଖାଲଖମାର ମରାମତିକୁ ମିଶାଇ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆସନ୍ତା ୧୫ ଦିନରୁ ଏକ ମାସ ମଧ୍ୟରେ କାମ ସରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।