You are currently viewing ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ, ୧୪ଟି ବିଲ ପାରିତ

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ, ୧୪ଟି ବିଲ ପାରିତ

ଭୁବନେଶ୍ୱର-୦୯.୦୯.୨୦୨୧, ବିଧାନସଭା ମୌସୁମୀ ଅଧିବେଶନର ଅନ୍ତିମ ଦିବସ । ଏଥି ସହିତ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ଆଜି ଶେଷଦିନରେ ସରଗରମ ରହିଥିଲା ଗୃହ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। ସେପଟେ ସାର ଓ ଫସଲ ବୀମା ପ୍ରସଙ୍ଗ ଉଠାଇ ଶାସକ ବିଜେଡ଼ି ସଦସ୍ୟ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଯାହାଫଳରେ ଗୃହକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି ।
ତେବେ ଏହାରି ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସିଏଜି ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରାଯାଇଛି ।
ଏହାସହ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ୫୦ ପ୍ରତିଶତ ନେଇ ସଂକଳ୍ପ ପାରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ସଂକଳ୍ପ ଆଗତ କରିଥିଲେ ।
ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏଥିରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ରହିଥିଲା । ଚଳିତ ଥର ମୌସୁମୀ ଅଧିବେଶନରେ ମୋଟ୍‌ ୧୪ଟି ବିଲ ପାରିତ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।