You are currently viewing ପଞ୍ଚାୟତ ନିର୍ବାଚନ: ଆଜିଠାରୁ ଭୋଟ ଗଣତି

ପଞ୍ଚାୟତ ନିର୍ବାଚନ: ଆଜିଠାରୁ ଭୋଟ ଗଣତି

ଭୁବନେଶ୍ୱର(ଏଏନଏସ)୨୬/୦୨, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଥିବାବେଳେ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ସବୁ ବ୍ଲକ ମୁଖ୍ୟାଳୟରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି । ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନର ଗଣତି ଆରମ୍ଭ କରାଯାଇଛି । କେବଳ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନର ଗଣତି ହେବ । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଭୋଟ୍ ଗଣତି ହେବ । ଦ୍ୱିତୀୟ ଦିବସରେ ୩୦୭ ଜିଲ୍ଲା ପରିଷଦ ଜୋନ୍ ଓ ଶେଷ ଦିନ ୨୨୯ଟି ଜୋନରେ ଗଣତି କରାଯିବ ।
ସୂଚନା ଅନୁସାରେ, ପ୍ରତି ଜିଲ୍ଲା ପରିଷଦ ଜୋନରେ ଯେତିକି ପଞ୍ଚାୟତ, ସେତିକି ଟେବୁଲ୍ ରହିବ । ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଟେବୁଲ୍ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର୍, ଦୁଇ ଜଣ କାଉଣ୍ଟିଂ ଅଫିସର ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ପ୍ରତି ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ଗଣତି ବେଳେ ଉପସ୍ଥିତ ରହିବେ । ପ୍ରଥମେ ରଙ୍ଗ ଅନୁଯାୟୀ ବାଲାଟ୍ ପେପରଗୁଡ଼ିକୁ ଅଲଗା କରାଯିବ । ତାପରେ ଗଣତି ଆରମ୍ଭ ହେବ । ତେବେ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥାାକୁ କଡାକଡି କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।