You are currently viewing ଆହୁରି ୩ ଦିନ ଶୀତରେ ଥରିବ ଓଡ଼ିଶା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆହୁରି ୩ ଦିନ ଶୀତରେ ଥରିବ ଓଡ଼ିଶା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଏଏନଏସ)୨୮.୦୧.୨୦୨୨, ଆହୁରି ୩ ଦିନ ଥରିବ ଓଡ଼ିଶା। ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ବଢ଼ିବ ଶୀତ। ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତରା-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଶୀତ ଲହରୀ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବରଗଡ଼ ଓ ବଲାଙ୍ଗୀର ।
ସେହିପରି ୨୯ ଓ ୩୦ ତାରିଖ ରାତିରେ ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର କଳାହାଣ୍ଡି, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇପାରେ।
ଗତକାଲି ରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୮, କେନ୍ଦୁଝରରେ ୮, ଝାରସୁଗୁଡ଼ାରେ ୯, ସୋନପୁର ୯, ବୌଦ୍ଧ ୯, ଭବାନୀପାଟଣା ୯, ଅନୁଗୋଳରେ ୯.୬, କୋରାପୁଟରେ ୧୦ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୧୩ ଡିଗ୍ରୀ ରହିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।