You are currently viewing ଖଟ ନଥିବା ଗାଁ

ଖଟ ନଥିବା ଗାଁ

ଦେବଗଡ଼ ଜିଲ୍ଲା ଟିପିରିସିଙ୍ଗାରେ ପିଢ଼ି ପରେ ପିଢ଼ି ମାନି ଆସୁଛନ୍ତି ଠାକୁରାଣୀଙ୍କ ନିର୍ଦ୍ଦେଶ । ଖଟ ବ୍ୟବହାର ନକରି ତଳେ ପଟିଆରେ ଶୋଇଥାନ୍ତି ସଭିଏଁ । ଆସ୍ଥା ଓ ପରମ୍ପରା ନାଁରେ ଆଜି ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ପୂରା ଗାଁ । ଜଣେ କି ଦୁଇ ଜଣ ନୁହେଁ, ଅନ୍ଧ ବିଶ୍ୱାସରେ କବଳିତ ପୂରା ଗାଁ। ଦେଢ଼ଶହରୁ ଅଧିକ ଆଦିବାସୀ ପରିବାରଙ୍କୁ ନେଇ ରହିଥିବା ଦେବଗଡ଼ ଜିଲ୍ଲା ଟିପିରସିଙ୍ଗା ଗାଁରେ ଆଜି ମଧ୍ୟ ଲୋକକଥା ଓ କିମ୍ବଦନ୍ତୀକୁ ନେଇ ଲୋକଙ୍କ ମନରେ ରହିଛି ଅଜଣା ଭୟ। ଗ୍ରାମ ଦେବତୀ ମା ବରହେନଙ୍କ ଆଦେଶ ଯୋଗୁଁ ଖଟ ଆଜି ବି ବର୍ଜିତ ରହିଛି । ଘରେ ଖଟରେ ଶୋଇଲେ ଖଟ ଓଲଟି ପଡିଥାଏ ଏବଂ ଘରେ ସାପ ବିଛା ଭଳି ଶରୀସୃପଙ୍କ ଆଗମନ ହୋଇଥାଏ । ଗାଁରେ କେହି ଘରେ ଖଟ ତିଆରି ପାଇଁ ଚେଷ୍ଟା କଲେ, ଠାକୁରାଣୀଙ୍କ କାଲୋ ବା ପୂଜକଙ୍କୁ ସ୍ୱପ୍ନାଦେଶ ହୋଇଥାଏ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁ ଠାକୁରାଣୀଙ୍କ ଆଦେଶକୁ ସମ୍ମାନ ଜଣାଇ ସମସ୍ତ ପରିବାର ନିଜ ନିଜ ଘରେ ଖଟ ବଦଳରେ ଖଜୁରୀ ପତ୍ରରେ ତିଆରି ପଟିଆକୁ ବ୍ୟବହାର କରିଥାନ୍ତି । ଟିପିରସିଙ୍ଗା ଗାଁର ସତ୍ୟତା ପରଖିବାକୁ ଏକ ସମୟରେ ଖୋଦ ରାଜା ଆସି ଅନ୍ୟ ଏକ ଗାଁରୁ ଖଟଆଣି ପରୀକ୍ଷା କରିବାରୁ ଖଟ ଓଲଟି ପଡ଼ିଥିଲା । ପରେ ରାଜା ମା ବରହେନଙ୍କ ଶକ୍ତି ଆଗରେ ନତମସ୍ତକ ହୋଇଥିଲେ । ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକର ବିଭିନ୍ନ ଗାଁରେ ଆଜି ମଧ୍ୟ ଗ୍ରାମବାସୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଛନ୍ତି । ଲୋକକଥା ଓ କିମ୍ବଦନ୍ତୀ ଶୁଣିଶୁଣି ଗାଁର ନୂତନ ପିଢ଼ି ମଧ୍ୟ ବିଜ୍ଞାନ ଯୁଗରେ ଆଧୁନିକତା ଠାରୁ ନିଜକୁ ଦୂରେଇ ରଖୁଥିବା ଦେଖିବାକୁ ମିଳୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।