You are currently viewing ମହାରଥୀଙ୍କ ପରେ କିଏ ?

ମହାରଥୀଙ୍କ ପରେ କିଏ ?

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ବର, ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ନୂଆ ବିଧାୟକ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ? ବିଜେଡି ନିଜ ଗଡ଼ ବଂଚେଇ ରଖିବ ନା ବିରୋଧୀମାନେ ଦୁର୍ଗ ଦଖଲ କରିବେ ଏଭଳି ପୁଳାପୁଳା ପ୍ରଶ୍ନକୁ ନେଇ ପିପିଲି ରାଜନୀତି ସରଗରମ । ମହାରଥୀଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୩ ମାସରୁ ଅଧିକ ସମୟ ହେଲାଣି, ନିୟମ ମୁତାବକ ୬ ମାସ ଭିତରେ ଖାଲି ପଡ଼ିଥିବା ଆସନରେ ଉପ-ନିର୍ବାଚନ ହେବାକଥା ଆଉ ଯଦି ସବୁକିଛି ଠିକ୍‌ଠାକ୍ ରହେ ତାହେଲେ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ପିପିଲି ବାସୀ ଭୋଟ୍ ଦେଇ ନିଜ ନୂଆ ବିଧାୟକ ବାଛିବା ଏକପ୍ରକାର ନିଶ୍ଚିତ । ଏପଟେ ସବୁ ଦଳମାନେ ମଧ୍ୟ ଭୋଟରଙ୍କ ମୁଡ୍ ନିଜ ସପକ୍ଷରେ ନେବାକୁ କସରତ ଆରମ୍ଭ କରିଦେଇଛନ୍ତି । ବିଜେଡିର ଫୋକସରେ ଏବେ ଏହି ପୁରୁଣା ଗଡ ଯାହା଼କୁ ନେଇ ଦଳ ଖୁବ୍ ଆଶାବାଦୀ । ଦଳ ଗଠନ ହେବା ପରଠାରୁ ଏଠାରୁ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହିଁ ଜିତି ଆସୁଥିଲେ ଆଉ ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ୨୦ ବର୍ଷ ଧରି ସେଠାରୁ ନିର୍ବାଚନ ଜିତିନାହାନ୍ତି ।
୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମଝିରେ ୫ ବର୍ଷକୁ ଛାଡ଼ି ଦେଲେ, ୧୯୮୫ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଦୀପ ମହାରଥୀ ଏହି ଆସନରୁ ଜିତି ଆସୁଥିଲେ । ତେଣୁ ନିଜର ପୁରୁଣା ଗଡ଼ ବଂଚାଇ ରଖିବାକୁ ବିଜେଡି ଜୋରଦାର ଚେଷ୍ଟା କରିବ । ପିପିଲିରେ ଗଡ଼ ବଂଚାଇବାକୁ ବିଜେଡି ଏଠାରେ ଅନୁକମ୍ପା କାର୍ଡ ଖେଳିପାରେ ବୋଲି କୁହାଯାଉଛି । ତିର୍ତ୍ତୋଲ ଓ ବିଜେପୁରରେ ଏହି ଫର୍ମୁଲା କାମ ଦେଇଥିବାରୁ ବିଜେଡି ସୁପ୍ରିମୋ ଏଠାରେ ପ୍ରଦୀପଙ୍କ ପତ୍ନୀ ପ୍ରତିଭା କିମ୍ବା ତାଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରିପାରନ୍ତି । ଏପଟେ ମା’ କି ପୁଅ କାହାକୁ ଟିକେଟ୍ ଦିଆଯିବ ତାକୁ ନେଇ ବି ଦଳରେ କନ୍ଦଳ ଦେଖିବାକୁ ମିଳିଛି । ଡେଲାଙ୍ଗ ବ୍ଲକର କିଛି ନେତା ପ୍ରତିଭାଙ୍କୁ ପ୍ରାର୍ଥୀ କରିବାକୁ କହୁଥିବାବେଳେ ଯୁବ ଓ ଛାତ୍ର ସଙ୍ଗଠନମାନେ ତାଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ନେତା ଭାବେ ଦେଖିବାକୁ ଚାହୁଁଛନ୍ତି । ଏପରି ସ୍ଥିତିରେ ସୁପ୍ରିମୋ କାହାକୁ ଟିକେଟ୍ ଦେବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।
ଏସବୁ ଭିତରେ ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଟିକେଟ୍ ରେସରେ ମୋ’ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବି ଆଗରେ ଅଛନ୍ତି । ତାଙ୍କ ପୈତୃକ ଘର ଡେଲାଙ୍ଗ ବ୍ଲକରେ ହୋଇଥିବାରୁ ଅରୂପ ପିପିଲି ଟିକେଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ରାଜନୀତି କରିଡରରେ ଏବେ ଜୋରଦାର ଚର୍ଚ୍ଚା । ଗତ ସାଧାରଣ ନିର୍ବାଚନରେ ସେ ଦଳର ସାଂସଦ ପ୍ରାର୍ଥୀ ହୋଇସାରିଥିଲେ ବି ପରାଜୟ ଭୋଗିଛନ୍ତି । ଏପରି ସ୍ଥିତିରେ ସୁପ୍ରିମୋ ତାଙ୍କୁ ପିପିଲିରେ ଟିକେଟ୍ ଦେଇପାରନ୍ତି ବୋଲି କୁହାଯାଉଛି । ସେହିପରି ବାଲେଶ୍ୱର, ତିର୍ତୋଲରେ ପରାଜୟ ପରେ ଏବେ ପିପିଲି ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ମହାରଥୀଙ୍କ ପୂର୍ବରୁ ପିପିଲି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । ତେଣୁ ନିଜ ପୁରୁଣା ଦୁର୍ଗ ଦଖଲ କରିବାକୁ କଂଗ୍ରେସ ଏଠି କସରତ କରିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଦଳକୁ ସଙ୍ଗଠିତ କରିବା ସହିତ ଜଣେ ଲୋକପ୍ରିୟ ପ୍ରାର୍ଥୀ ବାଛିବାକୁ କଂଗ୍ରେସ ଗୁରୁତ୍ୱ ଦେଉଛି ।୨୦୧୯ ମସିହାରେ ଦଳ ଏଠାରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ସେ ନିର୍ବାଚନରେ ସେତେଟା ସଫଳ ହୋଇପାରିନଥିଲେ । ତାଙ୍କ ପୂର୍ବରୁ ଦଳ ଲଗାତାର ମହାରଥୀଙ୍କ ଦୃଢ଼ ବିରୋଧୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରି ଦ୍ୱିତୀୟ ସ୍ଥାନରେ ରହୁଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଯିବା ସହ କଂଗ୍ରେସ ତିନି ନମ୍ବରକୁ ଖସି ଆସିଥିଲା । ତେଣୁ ଉପ-ନିର୍ବାଚନରେ ଦଳ ନୂଆ ଚେହେରାକୁ ଟିକେଟ୍ ଦେଇପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ଗତ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଛି । ୨୦୧୯ରେ ପ୍ରଦୀପ ଏହି ଆସନରୁ ମୋଟ ୮୮,୫୧୮ ଭୋଟ୍ ପାଇ ବିଜୟୀ ହୋଇଥିଲେ ବି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୨,୭୩୧ ଭୋଟ ପାଇ ମହାରଥୀଙ୍କୁ କଡ଼ା ଟକ୍କର ଦେଇଥିଲେ । ଆମେ ଯଦି ପିପିଲି ଭୋଟରଙ୍କ ମୁଡ ପରଖିବା ତାହାହେଲେ ଦେଖିବା ଏଥର ଏଠାରେ ଦ୍ୱିମୂଖୀ ପ୍ରତୁଦ୍ୱନ୍ଦିତା ହେବା ଏକପ୍ରକାରର ଥୟ । ବିଜେଡି ସହ ସମେଯାଦ୍ଦା ଭାବରେ ବିଜେପି ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ୍ । ବିଜେଡିର ପ୍ରାର୍ଥିୀ କିଏ ହେବ ତାହା ଜନା ନଥରଲେବି ବିଜେପି କିନ୍ତୁ ଗତ ଥରର ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କୁ ପ୍ରାୟତଃ ଏଥର ପ୍ରାର୍ଥୀ କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ବି ଆରମ୍ଭ କରି ଦେଇଛନ୍ତି । ପୁରୀ ଲୋକସବା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପିପିଲିରେ ପଇଁତରା ମାରି ଗଲେଣି । ସମୟ କହିବ ଉପନିର୍ବାଚନ କାହା ସପକ୍ଷରେ ଯିବ ହେଲେ ଗୋଟିଏ କଥା ସତ୍ୟ ଯେଉଁ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ, ସ୍ଥାନୀୟ ସମସ୍ୟାକୁ ପ୍ରାଧାନ୍ୟ ଏବଂ ଲୋକଙ୍କ ମନସ୍ତତ୍ୱକୁ ପରଖି କାଯ୍ୟ କରିବ ସେହି ଦଳ ବିଜୟର ମୁକୁଟ ପିନ୍ଧିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।