You are currently viewing ଡ୍ୟାନ୍ସ ବାରର ଗୁପ୍ତ କୋଠରୀରୁ ୧୭ ଜଣ ମହିଳା ଉଦ୍ଧାର

ଡ୍ୟାନ୍ସ ବାରର ଗୁପ୍ତ କୋଠରୀରୁ ୧୭ ଜଣ ମହିଳା ଉଦ୍ଧାର

ମୁମ୍ୱାଇ ୧୩/୧୨: ମୁମ୍ୱାଇ ଅନ୍ଧେରିର ଦୀପା ଡ୍ୟାନ୍ସ ବାରରୁ ୧୭ ଜଣ ମହିଳା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବାସ୍ତବରେ, ଏହି ବାରର ଯୁବତୀମାନେ ଏଠାରେ ଥିବା ମେକଅପ୍ ରୁମ୍ ଭିତରେ ନିର୍ମିତ ଗୁପ୍ତ କୋଠରୀରେ ହିଁ ଲୁଚି ରହିଥିଲେ। ଦୀର୍ଘ ୧୫ ଘଣ୍ଟା ପରେ ପୋଲିସ ସମସ୍ତ ମହିଳାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମହିଳାଙ୍କୁ ଗୋପନ ରଖାଯାଇଥିବା ସ୍ଥାନରେ ଖାଦ୍ୟପେୟର ସମସ୍ତ ସୁବିଧା କରାଯାଇଥିଲା ।

ମୁମ୍ବାଇ ପୋଲିସର ସମାଜ ସେବା ଶାଖାର ଜଣେ ଅଧିକାରୀଙ୍କୁ ଏନଜିଓ ପକ୍ଷରୁ ଅଭିଯୋଗ ମିଳିଥିଲା କି, ବାରରେ କୋଭିଡ-୧୯ ନିୟମର ଉଲ୍ଲଂଘନ କରାଯାଉଛି। ବାରରେ ବହୁତ ଭିଡ଼ ଲାଗି ରହୁଛି ଏବଂ ଗ୍ରାହକମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ଯୁବତୀମାନଙ୍କ ଯୋଗୁ ବାର୍ ପୂରା ରାତିସାରା ଖୋଲା ରହୁଥିବା ବେଳେ ସ୍ଥାନୀୟ ପୋଲିସ ପାଖରେ କିନ୍ତୁ ଏ ସମ୍ପର୍କରେ କୌଣସି ବି ସୂଚନା ନାହିଁ। ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ବିଳମ୍ବିତ ରାତିରେ ବାର୍ ଉପରେ ଚଢ଼ାଉ କରିଥିଲା।

ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିବା ପରେ ମଧ୍ୟ ପୋଲିସ କୈାଣସି ଟେର୍ ପାଇନଥିଲା । ଏହାପରେ ପୋଲିସ ବାରର ବାଥରୁମ୍ ସମେତ ରୋଷେଇ ଘର ଓ ଷ୍ଟୋରେଜ ରୁମ୍ ଆଦି ଛାନଭିନ୍ କରିବା ପରେ ମଧ୍ୟ ପୋଲିସ ହାତରେ କିଛି ପ୍ରମାଣ ଲାଗିନଥିଲା । ପରେ ସମାଜ ସେବା ଶାଖା ଡିସିପି ଘଟଣାସ୍ଥଳରେ ପହଞ୍ଚି ପୁଣିଥରେ ଖୋଲତାଡ଼ ଆରମ୍ଭ କରିଥିଲେ । ମେକ୍ଅପ ରୁମ୍ରେ ପୋଲିସକୁ ସନ୍ଦେହଜନକ ଅବସ୍ଥାରେ ଏକ ଦର୍ପଣ ମିଳିଥିଲା। ଏହାପରେ ପୋଲିସ କାଳ ବିଳମ୍ବ ନ କରି ହାତୁଡ଼ିରେ କାଚ ଭାଙ୍ଗିବା ଆରମ୍ଭ କରିଥିଲା। ଏହା ପଛପଟେ ଏକ କବାଟ ଥିଲା, ଯାହାକୁ ରିମୋଟ୍ରେ କଣ୍ଟ୍ରୋଲ କରାଯାଉଥିଲା। କବାଟ ଖୋଲିବା ପରେ ଏଥିରୁ ୧୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାରେ ଜଡ଼ିତ ୨୦ ଜଣଙ୍କୁ ଗିରଫ କରାଯିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ  ବାର୍କୁ ସିଲ୍ କରି ଦିଆଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।