You are currently viewing ପାଟଣାର ଗାନ୍ଧୀ ମଇଦାନ ବୋମା ବିସ୍ଫୋରଣ ମାମଲାରେ ୪ ଜଣଙ୍କୁ ଫାଶି

ପାଟଣାର ଗାନ୍ଧୀ ମଇଦାନ ବୋମା ବିସ୍ଫୋରଣ ମାମଲାରେ ୪ ଜଣଙ୍କୁ ଫାଶି

ପାଟଣା ୦୧/୧୧: ବିହାରର ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ହୋଇଥିବା ବମ୍ ବ୍ଲାଷ୍ଟ୍ ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ । ଦୋଷୀଙ୍କୁ ଏନ୍ଆଇଏ କୋର୍ଟ ସୋମବାର ସଜା ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ୪ ଦୋଷୀଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୨ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ, ୨ ଜଣଙ୍କୁ ୧୦ ବର୍ଷ ଓ ଜଣଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହା ଛଡ଼ା ଜଣଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୁଚନା ଅନୁସାରେ ୨୭ ଅକ୍ଟୋବର ୨୦୧୩ ରେ ଗାନ୍ଧୀ ମଇଦାନ ଏବଂ ପାଟନା ଜଙ୍କସନ ଠାରେ ବିଜେପିର ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାକୁ ଆସିଥିଲେ । ଆଉ ଏହି ସମୟରେ ସିରିଏଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ ।

ଏହି ଘଟଣାରେ ଏନଆଇଏ ଦ୍ୱାରା ଅନୁସନ୍ଧାନ ପରେ, ୨୧ ଅଗଷ୍ଟ ୨୦୧୪ରେ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଆଲାମ, ଅହମ୍ମଦ ହୁସେନ୍, ଫାକରୁଦ୍ଦିନ, ଫିରୋଜ ଅସଲମ, ଇମତିଆଜ ଅନସାରୀ, ଇଫତିକର ଆଲାମ, ଅଝରୁଦ୍ଦିନ କୁରେସି ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ବୁଧବାର ଦିନ କୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କୁ ଦେଶଦ୍ରୋହ, ଅପରାଧିକ ଷଡଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ୟୁଏପିଏ ଧାରା ଅଧିନିୟମ ଅନୁଯାୟୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପ୍ରମାଣ ଅଭାବରୁ ଫାକରୁଦ୍ଦିନଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଛି।

 ରିପୋର୍ଟ ଅନୁଯାୟୀ  ନରେନ୍ଦ୍ର ମୋଦୀଙ୍କ ରାଲିରେ ଗାନ୍ଧୀ ମଇଦାନ ସିରିଏଲ ବୋମା ବିସ୍ଫୋରଣ ଷଡଯନ୍ତ୍ର ରାଞ୍ଚି ଏବଂ ରାୟପୁରରେ ହୋଇଥିଲା । ଏହି ବିସ୍ଫୋରଣ ଭାରତୀୟ ମୁଜାହିଦ୍ଦିନ ଜିହାଦୀମାନଙ୍କ ଦ୍ୱାରା ଜୁଲାଇ ୭, ୨୦୧୩ ରେ ଯୋଜନା କରାଯାଇଥିଲା । ଗାନ୍ଧୀ ମଇଦାନରେ ମୋଦୀଙ୍କ ରାଲିରେ ଏହି ବିସ୍ଫୋରଣ ଘଟାଇବା ପାଇଁ ଆତଙ୍କବାଦୀମାନେ ବିସ୍ଫୋରକ ସାମଗ୍ରୀ ରାଞ୍ଚିରେ ଜମା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।