You are currently viewing ପୋଲିସ ଗୁଳିମାଡରେ ୫ ମୃତ

ପୋଲିସ ଗୁଳିମାଡରେ ୫ ମୃତ

ନୂଆଦିଲ୍ଲୀ (୨୨.୧୧.୨୨) : ଆସାମ-ମେଘାଳୟ ସୀମାରେ ମଙ୍ଗଳବାର ସକାଳେ ଫାୟାରିଂ ଯୋଗୁଁ ୬ ଜଣଙ୍କ ଜୀବନ ଯାଇଛି । କାଠ ଚାଲାଣ କରୁଥିବା ଏକ ଟ୍ରକକୁ ପୋଲିସ ଅଟକାଇବା ପରେ ହିଂସା ହୋଇଥିଲା । ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସହିତ ଛଅ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମେଘାଳୟ ସରକାର ଆସନ୍ତା ୪୮ ଘଣ୍ଟା ଯାଏଁ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି । ଆସାମ ଫରେଷ୍ଟ ଗାର୍ଡ ଏବଂ ପୋଲିସଙ୍କ ଗୁଳିମାଡରେ ମେଘାଳୟର ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୁଣି ଥରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢିପାରେ । ମେଘାଳୟର ପଶ୍ଚିମ ଜୟନ୍ତିଆ ପାହାଡର ମକରୋହ ଗାଁରେ ଏହି ଘଟଣା ଘଟିଛି । ସୂତ୍ର ଅନୁସାରେ ମଙ୍ଗଳବାର ସକାଳ ୭.୩୦ରେ ଗ୍ରାମବାସୀ ଛୋଟ ଟ୍ରକରେ ଜଙ୍ଗଲରୁ କାଠ ନେଇ ଫେରୁଥିଲେ । ଆସାମ ବନ ବିଭାର କର୍ମୀ ଏବଂ ପୋଲିସ ଯେଉଁ ଅଞ୍ଚଳରେ ଫାୟାରିଂ କରିଥିଲେ ତାହା ମଧ୍ୟ ମେଘାଳୟ ସୀମାରେ ରହିଛି । ଏହି ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆସାମ ଫରେଷ୍ଟ ଗାର୍ଡ ଟ୍ରକର ଚକା ଉପରକୁ ଗୁଳି ମାଡ କରିଥିଲେ । ଏହାପରେ ଟ୍ରକ ଡ୍ରାଇଭର ଏବଂ କାଠ ନେଇ ଯାଉଥିବା ଗ୍ରାମବାସୀ ପାଟି କରିଥିଲେ । ପରେ ଆଖପାଖ ଗାଁର ଲୋକେ ଏକାଠି ହୋଇଥିଲେ। ଲୋକେ ଘେରିଯିବା ପରେ ପୋଲିସ ଏବଂ ବନ ରକ୍ଷକମାନେ ଗୁଳି ମାଡ କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଅନ୍ୟପଟେ ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ବନ ରକ୍ଷକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ଅନେକ ବନ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମେଘାଳୟର ଡେପୁଟୀ ଆଇଜି ଡେଭିସ ଏନଆର ମାରକ ଏହାର ସୂଚନା ଦେଇଛନ୍ତି । ସେ ଘଟଣାକୁ ଦୁଃଖଦ କହିଛନ୍ତି ।ଏହି ଘଟଣା ପରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ରିପୋର୍ଟ ମାଗିଛନ୍ତି । ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରାଜ୍ୟର 7 ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହି ମାମଲାରେ ମେଘାଳୟ ପୋଲିସ ମାମଲା ରୁଜୁ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।