You are currently viewing ପୁଣି ଦିଲ୍ଲୀରେ ହିଟ ଆଣ୍ଡ ରନ ଘଟଣା

ପୁଣି ଦିଲ୍ଲୀରେ ହିଟ ଆଣ୍ଡ ରନ ଘଟଣା

ଲକ୍ଷ୍ନୌ(୫.୦୧.୨୩) : ପୁଣିଥରେ ଦିଲ୍ଲୀ ହିଟ୍‌ ଆଣ୍ଡ ରନ ଘଟଣାର ପୁନରାବୃତ୍ତି ଉତ୍ତର ପ୍ରଦେଶରେ ଘଟିଛି। ରାଜ୍ୟର ବନ୍ଦା ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଏଠାରେ ଗୋଟିଏ ଟ୍ରକ୍‌ ସ୍କୁଟି ନେଇ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେବା ସହ ତାଙ୍କୁ ପ୍ରାୟ ୩ କିମି ଯାଏ ଘୋଷାଡ଼ି ନେଇଛି। ଏତେ ବାଟ ସ୍କୁଟ ସହ ମହିଳାଙ୍କୁ ଘୋଷାଡ଼ି ନେବାରୁ ଟ୍ରକ୍‌ରେ ନିଆଁ ମଧ୍ୟ ଲାଗି ଯାଇଥିଲା। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଟ୍ରକ ଚକା ତଳୁ ମହିଳାଙ୍କ ପୋଡ଼ା ଓ କ୍ଷତାକ୍ତ ମୃତଦେହ ଜବତ କରାଯାଇଛି।ବନ୍ଦା ଜିଲ୍ଲାର ଏଏସ୍‌ପି ଲକ୍ଷ୍ମୀ ନିବାସ ମିଶ୍ରା କହିଛନ୍ତି, ମୃତକ ଜଣଙ୍କ ହେଲେ ୩୨ ବର୍ଷୀୟ ପୁଷ୍ପା ସିଂହ। ୨୦୨୦ରେ ପୁଷ୍ପାଙ୍କ ସ୍ୱାମୀ ରଣଜୀତ କୁମାରଙ୍କ ଦେହାନ୍ତ ହୋଇଯାଇଥିଲା। ଏଥିପାଇଁ ସେ କୃଷି ବିଶ୍ୱବିଦ୍ୟାଳୟରେ କ୍ଲର୍କ ଚାକିରି ପାଇଛନ୍ତି। ବୁଧବାର ସନ୍ଧ୍ୟାରେ ପୁଷ୍ପା ନିଜ ସ୍କୁଟ ନେଇ ପରିବା କିଣିବା ପରେ ମାୱାଇ ବୁଜୁର୍ଗ କ୍ରସିଂକୁ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଗୋଟିଏ ଟ୍ରକ୍‌ ଆସିବା ସହ ପୁଷ୍ପାଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ଦଳି ଦେଇଥିଲା।ଧକ୍କା ଖାଇବା ପରେ ପୁଷ୍ପା ଓ ତାଙ୍କ ସ୍କୁଟି ଟ୍ରକ୍‌ ଚକାରେ ଲାଖି ଯାଇଥିଲେ। ସେହିଭଳି ଅବସ୍ଥାରେ ଗାଡ଼ି ସହ ପୁଷ୍ପାଙ୍କୁ ଟ୍ରକ୍‌ ଡ୍ରାଇଭର ପ୍ରାୟ ସାଢ଼େ ୩ କିମି ଯାଏ ଘୋଷାଡ଼ି ନେଇଥିଲେ। ଟ୍ରକ୍‌ର ଆଗ ସାମ୍ନାରେ ସ୍କୁଟି ଲାଖି ଯାଇଥିବାରୁ ଏଥିରେ ନିଆଁ ଲାଗି ଯାଇଥିଲା।ନିଆଁ ଲାଗି ଯିବାରୁ ଟ୍ରକ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେବା ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳେକୁ ପୁଷ୍ପାଙ୍କ ମୃତଦେହ ଏକପ୍ରକାରର ଛିନଛତ୍ର ହୋଇଯାଇଥିଲା ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।