You are currently viewing ସୁରଟରେ କେମିକାଲ ଟ୍ୟାଙ୍କର ଲିକ୍‌, ୬ ମୃତ

ସୁରଟରେ କେମିକାଲ ଟ୍ୟାଙ୍କର ଲିକ୍‌, ୬ ମୃତ

ଗୁଜୁରାଟ ୦୬/୦୧:  ଗୁଜୁରାଟର ସୁରଟରେ ବଡ଼ଧରଣର ଅଘଟଣ । ଗୁଜରାଟର ସୁରତ ଅନ୍ତର୍ଗତ ସଚିନ ‘ଜିଆଇଡିସି’ ଅଞ୍ଚଳରେ ଗୋଟିଏ ଏକ ପ୍ରିଣ୍ଟିଂ ମିଲରେ ରାସାୟନିକ ପଦାର୍ଥ ଲିକ୍ ହେବାରୁ   ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ  ସୁରଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଘଟଣାଟି ରାତି ପ୍ରାୟ ୪ଟା ସମୟରେ ଘଟିଛି। ଲିକ୍ ହୋଇଥିବା ଟ୍ୟାଙ୍କରେ  ‘ଜେରି’ ନାମକ ରାସାୟନିକ ପଦାର୍ଥ ଥିଲା। ଟ୍ୟାଙ୍କର ଡ୍ରାଇଭର ଏକ ଡ୍ରେନରେ ରାସାୟନିକ ଆବର୍ଜନା ଢାଳିବାକୁ ଉଦ୍ୟମ କରୁଥିବା ବେଳେ ରାସାୟନିକ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସି ଅଘଟଣ ହୋଇଥିଲା । ପ୍ରିଣ୍ଟିଂ ମିଲର ଶ୍ରମିକମାନେ ଏହି ବାୟୁ ସଂସ୍ପର୍ଶରେ ଆସି ଏଥିରେ ପ୍ରଭାବିତ ହୋଇଥିଲେ। ଲୋକମାନେ ପରିସ୍ଥିତିକୁ ବୁଝିବା ବେଳକୁ ୬ ଜଣ ପ୍ରାଣ ହରାଇ ସାରିଥିଲେ।  

ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଉକ୍ତ ଟ୍ୟାଙ୍କରଟି  ବଡ଼ୋଦରାରୁ ଆସିଥିଲା ଏବଂ ସଚିନ ‘ଜିଆଇଡିସି’ ଅଞ୍ଚଳରେ ଥିବା ଗୋଟାଏ ଡ୍ରେନରେ ଟ୍ୟାଙ୍କର୍ ଚାଳକ ବେଆଇନ ଭାବେ ରାସାୟନିକ ଆବର୍ଜନା ଅଜାଡ଼ିବାକୁ ଚେଷ୍ଟା କରୁଥିଲେ। ଗ୍ୟାସ୍ ଲିକ୍ ହେବାକ୍ଷଣି ଟ୍ୟାଙ୍କର୍ ଚାଳକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ଫେରାର  ହୋଇଥିବା ଟ୍ୟାଙ୍କର ଚାଳକ ଏବଂ ଟ୍ୟାଙ୍କର୍ ମାଲିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।