You are currently viewing ଆଜି ବି କୈଳାସ ପର୍ବତରୁ ଶୁଣାଯାଉଛି ଡମ୍ବରୁ ଏବଂ ଓଁ ଉଚ୍ଚାରଣ, ଜାଣନ୍ତୁ କଣ ରହିଛି ରହସ୍ୟ

ଆଜି ବି କୈଳାସ ପର୍ବତରୁ ଶୁଣାଯାଉଛି ଡମ୍ବରୁ ଏବଂ ଓଁ ଉଚ୍ଚାରଣ, ଜାଣନ୍ତୁ କଣ ରହିଛି ରହସ୍ୟ

ଭାରତର ପୌରାଣିକ ଧର୍ମଗ୍ରନ୍ଥରେ ସବୁଠାରୁ ଖାସ ସ୍ଥାନ ହେଉଛି କୈଳାସ ପର୍ବତ। ଏହି ସ୍ଥାନ ସହ ଭଗବାନ ଶଙ୍କରଙ୍କର ସ୍ୱତନ୍ତ୍ର ସମ୍ବନ୍ଧ ରହିଛି। ଧାର୍ମିକ ଗ୍ରନ୍ଥ ଅନୁଯାୟୀ କୈଳାସ ପର୍ବତକୁ ଭଗବାନ ଶଙ୍କର ନିବାସ ସ୍ଥଳୀ କୁହାଯାଇଥାଏ। ଏହି କାରଣରୁ ପ୍ରତ୍ୟେକ ବର୍ଷ ଅନେକ ଶ୍ରଦ୍ଧାଳୁ ଭଗବାନ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ମାନ୍ୟତା ରହିଛି ଆଜି ମଧ୍ୟ ଭଗବାନ ଶଙ୍କର ନିଜ ପରିବାର ସହ ଏହି ପର୍ବତରେ ରହୁଛନ୍ତି। ଏହି ପର୍ବତକୁ ସ୍ୱର୍ଗର ସିଢୀ ମଧ୍ୟ କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି କୈଳାସ ପର୍ବତର ରହସ୍ୟ।

ଭଗବାନ ଶିବଙ୍କ ନିବାସ ସ୍ଥଳୀ କୈଳାସ ପର୍ବତକୁ ଅନେକ ପର୍ବତାରୋହୀମାନେ ଚଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ରୁଷର ଜଣେ ପର୍ବତାରୋହୀ ସରଗେ ସିଷ୍ଟିୟାକୋୱ କୈଳାସ ପର୍ବତର ଅତି ନିକଟକୁ ପହଂଚି ପାରିଥିଲେ। ସେ ଏକ ସାକ୍ଷାତକାର ମାଧ୍ୟମରେ କହିଥିଲେ, ମୁଁ ଏହି ପର୍ବତ ନିକଟରେ ପହଂଚିବା ମାତ୍ରେ ମୋ ନିଃଶ୍ୱାସ ପ୍ରଶ୍ୱାସ ଜୋରରେ ବଢିବାକୁ ଲାଗିଥିଲା। ଏହିସହ ମତେ ଖୁବ ଦୁର୍ବଳ ଅନୁଭବ ହୋଇଥିଲା। କିନ୍ତୁ ଯେତେବେଳେ ମୁଁ ତଳକୁ ଯିବା ପାଇଁ ଚେଷ୍ଟା କରିଥିଲି ସେତେବେଳେ ମୋ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲା। ଠିକ ସେହିଭଳି କର୍ଣ୍ଣଲ ଆର.ସି.ୱାଲ୍ସନ କୈଳାସ ପର୍ବତ ନିକଟରେ ପହଂଚିବା ମାତ୍ରେ ହଠାତ ବରଫ ବର୍ଷା ହେବାକୁ ଲାଗିଥିଲା। ଯାହାଦ୍ବାରା ରାସ୍ତା ବନ୍ଦ ହେବା ସହ ଆଗକୁ ଯିବାକୁ ଦେଇନଥିଲା। ଯାହାଫଳରେ ଆଜି ପର୍ଯ୍ୟନ୍ତ ମଧ୍ୟ ପର୍ବତର ଶିଖରରେ କେହି ପହଞ୍ଚିବାରେ ସଫଳ ହୋଇପାରିନାହାନ୍ତି।

ଉଲ୍ଲେଖ ରହିଛି କୈଳାସ ପର୍ବତ ଉପରେ ୭ପ୍ରକାର ଆଲୋକ ଦେଖାଯାଇଥାଏ। ଅନେକ ଲୋକ ମଧ୍ୟ ଏହି ଆଲୋକ ଉଜ୍ବଳିତ ହେଉଥିବାର ଦେଖିଥିବା କହିଛନ୍ତି। ପର୍ବତର ଚୁମ୍ବକୀୟ ବଳ କାରଣରୁ ଏପରି ଆଲୋକ ଦେଖାଯାଉଥିବା ବୈଜ୍ଞାନିକମାନେ କହିଛନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ ଏଠାରେ ପୁଣ୍ୟାତ୍ମା ବାସ କରିଥାନ୍ତି। କେବଳ ଏତିକି ନୁହେଁ କୈଳାସ ପର୍ବତର ଆକୃତି ମଧ୍ୟ ଏକ ରହସ୍ୟମୟ। ଏହି ପର୍ବତର ଆକୃତି ଏକ ପିରାମିଡ ଭଳି ଦେଖାଯାଇଥାଏ। କୁହାଯାଇଥାଏ କୈଳାସ ପର୍ବତ ଧରିତ୍ରୀର କେନ୍ଦ୍ର ବିନ୍ଦୁ। ଅନେକ ଲୋକମାନେ ମଧ୍ୟ ଏହି ସ୍ଥାନକୁ ଭୌଗୋଳିକ ଧ୍ରୁବ ମାନିଥାନ୍ତି।

ଲୋକମାନଙ୍କ କହିବାନୁଯାୟୀ କୈଳାସ ମାନସରୋବର ଆଖପାଖରେ ଆଜି ବି ଡମ୍ବରୁ ଏବଂ ଓଁ ଉଚ୍ଚାରଣ ଧ୍ୱନି ଶୁଣାଯାଇଥାଏ। ମାନ୍ୟତା ରହିଛି ଭଗବାନ ଶଙ୍କରଙ୍କ ନିବାସ ସ୍ଥାନ ହୋଇଥିବାରୁ ଏଠାରେ ଏପରି ଶବ୍ଦ ଶୁଣାଯାଇଥାଏ। କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ରହସ୍ୟ ଉପରୁ ପରଦା ଉଠିପାରିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।